ଘେଁସରେ ହଲଧର ନାଗ ଗବେଷଣା କେନ୍ଦ୍ରର ଭୂମି ପୂଜନ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ପଦ୍ମପୁର :-  ବରଗଡ଼ ଜିଲ୍ଲା ସହୀଦ ପୀଠ ଘେଁସ ସ୍ଥିତ କଲେଜ ପରିସରରେ ପଦ୍ମଶ୍ରୀ ହଲଧର ନାଗ ସମ୍ବଲପୁରୀ କୋଶଲି ଭାଷା,ସାହିତ୍ୟ ଗବେଷଣା କେନ୍ଦ୍ର ଏବଂ ସ୍ଥାନୀୟ ମହାବିଦ୍ୟାଳୟ ର ନୁତନ ଶ୍ରେଣୀ ଗୃହ,ପ୍ରଶାସନିକ ଭବନ ଓ କ୍ଯାନ୍ଟିନ ଗୃହର ଭିତ୍ତି ପ୍ରସ୍ଥର ସ୍ଥାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେରେ ଶ୍ରମ ଓ ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ପଦ୍ମଶ୍ରୀ ହଲଧର ନାଗଙ୍କ ସହିତ ଭୂମି ପୂଜନ କରିଛନ୍ତି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସୋହେଲା ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା,ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ପଟେଲ ଯୋଗଦାନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ତରଣୀ ସେନ ବେହେରାଙ୍କ ସଭାପତିତ୍ବ ରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅଭିମନ୍ୟୁ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଅଶୋକ କୁମାର ପୂଜାହାରୀ, ସଭାପତି ସୁଶାନ୍ତ କୁମାର ମିଶ୍ର, ମୋହନ ସିଂ କହ୍ନେଇ, ଦୀଲିପ କୁମାର ଦେବତା, ସୁକୁମାର ଭୋଇ, ଅଧିକାରୀ ସା, ସ୍ବାଧିନ ଭୋଇ, ଅଧ୍ୟାପକ କୃଷଚନ୍ଦ୍ର ପଣ୍ତା, ଅଧ୍ୟାପିକା ସ୍ବରୁପମା ମିଶ୍ର, ବ୍ଲକ ବିଡିଓ ବିଶ୍ବ ରଞ୍ଜନ କର,ଗ୍ରାମ୍ଯ ଉନ୍ନୟନ ବିଭାଗର ଏସଡିଓ ଅଶୋକ ବେହେରା, କନିଷ୍ଠ ଯନ୍ତ୍ରୀ ଦିଲୀପ ମେହେରଙ୍କ ସମେତ କବି, ଲେଖକ, ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ଛତ୍ରଛତ୍ରୀ, ଗଣ୍ଯମାନ୍ଯ ବ୍ଯକ୍ତି, ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ଯୋଗ୍ୟ ଯେ ଲୋକ କବି ହଲଧର ନାଗ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ କବିଙ୍କୁ ନବୀନ ନିବାସ ଆମନ୍ତ୍ରଣ କରି ୨୦୧୬ ମସିହାରେ ସ୍ବତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ କବିଙ୍କ ଜନ୍ମିତ ଗ୍ରାମ ବରଗଡ଼ ଜିଲ୍ଲା ଘେଁସ ଠାରେ ହଲଧର ନାଗଙ୍କ ନାମରେ ଭାଷା ଓ ସାହିତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଥିଲେ । ଏହାପରେ ସୋହେଲା ନିକଟସ୍ଥ ଇଛାପାଲି ଠାରେ ଅନୁଷ୍ଠିତ ସମାବେଶରେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗବେଷଣା କେନ୍ଦ୍ରର ଭିତି ପ୍ରସ୍ଥର ସ୍ଥାପନ କରିଥିଲେ । ଉକ୍ତ କେନ୍ଦ୍ରର ଭବନ ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାର ୨୫ ଲକ୍ଷ୍ମ ମଞ୍ଜୁର କରିଥିବା ବେଳେ ଏହାର ନିର୍ମାଣ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇ ଯାଇଛି । ଗବେଷଣା କେନ୍ଦ୍ର ମାଧ୍ୟମରେ ସମ୍ବଲପୁରୀ କୋଶଲି ଭାଷା, ସାହିତ୍ୟର ପାଣ୍ତୁଳିପି ସଂଗ୍ରହ,ଅଧିକ ଗବେଷଣା ସମେତ ଉନ୍ନୟନ କାର୍ଯ୍ୟ ହୋଇ ପାରିବ ବୋଲି ଜଣାଯାଇଛି । ତେଣୁ ପଶ୍ଚିମ ଓଡିଶାର କବି,ଲେଖକ,ବୁଦ୍ଧିଜୀବୀ ତଥା ସଚେତନ ମହଲରେ ଖୁସି ପ୍ରକାଶ ପାଇଛି । ( ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version