
ଓଡ଼ିଶା ତାଜା ନ୍ୟୁଜ (୨ ଡିସେମ୍ବର ବୁଧବାର)ନୂଆଦିଲ୍ଲୀ :- ନୂଆ ଦିଲ୍ଲୀ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ର ନୂଆ କର୍ମକର୍ତ୍ତା ନିର୍ବାଚନ ନିକଟରେ ଏଠାରେ ଅନୁଷ୍ଠିତ ହୋଇଯାଇଛି | ୨୦୧୬ ମସିହାରେ ୫୦ ରୁ ଉର୍ଦ୍ଧ୍ବ ପଞ୍ଜିକୃତ ପ୍ରବାସୀ ଓଡ଼ିଆ ସାଂସ୍କୃତିକ ଓ ସାମାଜିକ ସଂଗଠନ ମାନଙ୍କର ସକ୍ରୀୟ ଯୋଗଦାନରେ ଗଠିତ ଏହି ବୃହତ ପରିବାର ପ୍ରବାସରେ ଓଡ଼ିଶାର କଳା , ସଂସ୍କୃତି , ଭାଷା,ସାହିତ୍ୟ, ଶିକ୍ଷା,ଐତିହ୍ୟ, ପରମ୍ପରା, ପରିପାଟ୍ଟୀ, ପର୍ଯ୍ୟଟନ ଓ ବ୍ୟଞ୍ଜନ କୁ ପ୍ରଚାର , ପ୍ରସାର ଏବଂ ଲୋକପ୍ରିୟ କରିବା ଦିଗରେ କାର୍ଯ୍ୟକରି ଆସୁଛି | ବିଶେଷକରି ପ୍ରବାସୀ ଓଡ଼ିଆ ମାନଙ୍କ ମଧ୍ୟରେ ଶାନ୍ତି , ମୈତ୍ରୀ, ସୌହାର୍ଦ୍ଦ୍ୟତା ଓ ସଙ୍ଘତି ସ୍ଥାପନ କରିବା, ମାତୃ ପ୍ରଦେଶ ଓଡିଶା ର ସର୍ବାଙ୍ଗୀନ ଉନ୍ନୟନ ନେଇ ପ୍ରତିବଦ୍ଧ ହେବାକୁ ସେମାନଙ୍କୁ ଅନୁପ୍ରାଣିତ କରିବା ଏବଂ ସଙ୍କଟରେ ଥିବା ଅସହାୟ ଓଡ଼ିଆ ମାନଙ୍କୁ ସହାୟତା ପ୍ରଦାନ କରିବା ଦିଗରେ ଦିଲ୍ଲୀ ଓ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ରେ ପରିବାର ବେଶ ଉଲ୍ଲେଖ ଯୋଗ୍ୟ ଭୂମିକା ଗ୍ରହଣ କରି ଆସୁଥିବା ଦେଖାଯାଉଛି | ସାମ୍ପ୍ରତିକ କରୋନା ମହାମାରୀ ଜାତୀୟ ରାଜଧାନୀ ରେ କରାଳ ରୂପ ଧାରଣ କରିଥିବା ସମୟରେ ଆର.ପି.ଓ.ପି. ର ସ୍ଵେଚ୍ଛାସେବୀ ମାନେ ଜୀବନକୁ ଭ୍ରୁକ୍ଷେପ ନକରି କୋଭିଡ ରୋଗୀ ମାନଙ୍କୁ ଡାକ୍ତରଖାନା କୁ ନେଇ ଭର୍ତ୍ତି କରାଇବା, ସେମାନଙ୍କର ସେବା ଶୁଶ୍ରୁଷା କରିବା , କରୋନା ଯୋଗୁଁ ମୃତ ପରିବାର କୁ ଆର୍ଥିକ ଏବଂ ମାନବିକ ସହାୟତା ସହିତ ଶାନ୍ତ୍ବନା ପ୍ରଦାନ କରିବା ତଥା ଗରିବ , ଗୁରୁବା ଓ କାମଦାମ ହରାଇଥିବା ଶ୍ରମିକ ମାନଙ୍କ ମଧ୍ୟରେ ରିଲିଫ ବାଣ୍ଟିବା ଆଦି ମହତ କାର୍ଯ୍ୟ ଚଳାଇଥିବା ଜଣାଯାଇଛି | ତ୍ୟାଗ ରାଜ ନଗର ଜଗନ୍ନାଥ ମନ୍ଦିରସ୍ଥିତ କଳାମଣ୍ଡପ ଠାରେ ଭୋଟବାକ୍ସ ଜରିଆରେ ଏବଂ ତତସହିତ ଭୋଟକେନ୍ଦ୍ର କୁ ଆସି ପାରୁନଥିବା ଭୋଟଦାତାଙ୍କ ପାଇଁ ସମକାଳୀନ ଅନଲାଇନ ଯୋଗେ ଏହି ନିର୍ବାଚନ କରାଯାଇଥିଲା | ସଂସ୍ଥାର ସମସ୍ତ ଭୋଟ ଅଧିକାର ପ୍ରାପ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ମାନେ ଭାଗ ନେଇଥିବା ଏହି ମତଦାନ ଶତକଡା ଶହେ ଭାଗ ହାସଲକରି ରେକର୍ଡ ସୃଷ୍ଟି କରିଥିବାର ଖବର ମିଳିଛି |

