ନୟାଗଡ଼ ଜିଲ୍ଲାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣକୁ ନେଇ କଡାକଡି ନିୟମ ଜାରୀ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ନଭେମ୍ବର ଶନିବାର ) ନୟାଗଡ଼ :– କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ନିୟମକୁ କଡାକଡି କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୩୦ .୧୧. ୨୦୨୦ କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଥିବାରୁ କୋଭିଡ୍ ମହାମାରୀ କୁ ଦୃଷ୍ଟିରେ ରଖି ପୋଖରୀ , ନଦୀ ଘାଟରେ , ଯେ କୌଣସି ଜଳାଶୟରେ ଡଙ୍ଗା ଭସାଇବା , ଦୀପ ଜଳାଇବା , ସ୍ନାନ କରିବା , ଏକତ୍ରିତ ହେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବାରଣ କରାଯାଇଛି । ସେହିପରି ମନ୍ଦିର , ଧର୍ମାନୁଷ୍ଠାନ ମାନଙ୍କରେ ଏକତ୍ରିତ ନ ହେବା ପାଇଁ ବାରଣ କରାଯାଇଛି ।

ସାଂପ୍ରତିକ କୋଭିଡ୍ ସଂକ୍ରମଣ ହେତୁ ଜନସାଧାରଣ ଏହାକୁ ମାନି ଚଳିବାକୁ ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ବାରଣ କରାଯାଇଛି । ଏହି ବୈଠକରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର , ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ୍ ଏଚ୍.ଡି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ , ସମସ୍ତ ତହସିଲଦାର , ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ଥାନା ଅଧିକାରୀ ଯୋଗଦାନ କରିଥିଲେ । ଉପରୋକ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ଡା. ପୋମା ଟୁଡୁ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । (ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ନୟାଗଡ଼ ) (ଜିଲ୍ଲା ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version