ଜିଲ୍ଲା ସ୍ତରୀୟ ସ୍ୱଚ୍ଛତା ଓ ପରିମଳ କର୍ମଶାଳା ଉଦଯାପିତ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) ହିଞ୍ଜିଳିକାଟୁ  :- ଜିଲ୍ଲା ଜଳ ଓ ପରିମଳ ମିଶନ, ଛତ୍ରପୁର ଗଞ୍ଜାମ ଆନୁକୂଲ୍ୟରେ ବୁଧବାର ହିଞ୍ଜିଳିକାଟୁରେ ଜିଲ୍ଲା ସ୍ତରୀୟ ସ୍ୱଚ୍ଛତା ଓ ପରିମଳ ସମ୍ପର୍କିତ ଦୁଇ ଦିନିଆ କର୍ମଶାଳା ଉଦଯାପିତ ହୋଇଯାଇଛି।ହିଞ୍ଜିଳି ବ୍ଲକ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ମନୋରଞ୍ଜନ ସାହୁଙ୍କ ମିଳିତ ତତ୍ତ୍ୱାବଧାନରେ ପୌର ପରିଷଦ ସଭା ଗୃହ ପରିସରରେ ଆୟୋଜିତ କର୍ମଶାଳାର ଉଦଯାପନ ଦିବସରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ସ୍ୱଚ୍ଛ ଓଡିଶା,ସୁସ୍ଥ ଓଡିଶା ଯୋଜନାରେ ଗଞ୍ଜାମ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ସହ ଶତ ପ୍ରତିଶତ ସଫଳତା ହାସଲ ନିମନ୍ତେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ପ୍ରଦାନ କରିଛି। ବସୁଧା ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ଗୁଡିକରେ ପ୍ରତ୍ୟେକ ପରିବାର ଯେଭଳି ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ସେଥିପ୍ରତି ପ୍ରଶାସନ ପକ୍ଷରୁ ସଫଳ ପଦକ୍ଷେପ ଗ୍ରହଣ କରାଯାଇଛି।ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ପାଇଖାନା ଯୋଗାଇ ଦିଆଯାଇ ବାହ୍ୟ ମଳତ୍ୟାଗ ରୋକିବା ଦିଗରେ ସଚେତନତା ସୃଷ୍ଟି କରାଯାଇଛି।ଗ୍ରାମାଞ୍ଚଳର ବସ୍ତି ବାସିନ୍ଦା ବିଭିନ୍ନ ପ୍ରକାରର କଠିନ ଓ ତରଳ ବର୍ଜ୍ୟବସ୍ତୁକୁ ଏଣେ ତେଣେ ଫୋପାଡ଼ିବା ଫଳରେ ଗ୍ରାମ୍ୟ ପରିବେଶ ପ୍ରଦୂଷିତ ହେଉଛି।ଏଭଳି ସ୍ଥିତିରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ସବୁକୁ ସଂଗୃହୀତ କରି ଡଷ୍ଟବିନ କିମ୍ବା କମ୍ପୋଷ୍ଟ ପିଟ ବ୍ୟବହାର କରି ପରିମଳ ବ୍ୟବସ୍ଥାର ସୁଧାର ଓ ସୁନିଶ୍ଚିତ କରିହେବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ଗୁରୁତ୍ୱ ପ୍ରଦାନ କରିଥିଲେ।ବିଶେଷତଃ ବାହ୍ୟ ମଳମୁକ୍ତ ଅଞ୍ଚଳ ସହ ପାନୀୟ ଜଳର ସୁବନ୍ଦୋବସ୍ତ,ବର୍ଜ୍ୟବସ୍ତୁ ସୁପରିଚାଳନା କ୍ଷେତ୍ରରେ ସୁବ୍ୟବସ୍ଥା ଗ୍ରହଣ କଲେ ହିଁ ସୁସ୍ଥ ଗଞ୍ଜାମ, ସୁନ୍ଦର ଗଞ୍ଜାମ ଜିଲ୍ଲା ଭାବେ ବିବେଚିତ ଓ ସଫଳତା ଲାଭ କରିପାରିବା ବୋଲି ଅତିଥିବୃନ୍ଦ ଉପସ୍ଥିତ ଥିବା ବିଡ଼ିଓ,କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚ ମାନଙ୍କୁ ପରାମର୍ଶ ଦେଇଥିଲେ।

ଏ ସମ୍ପର୍କରେ କର୍ମଶାଳାରେ ଅଧିକ ଅବଗତ ହୋଇ ନିଷ୍ଠାର ସହିତ ସମସ୍ତେ ମିଳିମିଶି ଲକ୍ଷ୍ୟ ହାସଲ କରିବାକୁ ମତ ପ୍ରକାଶ କରିଥିଲେ।ପରେ ଅତିଥିମାନେ ସ୍ଥାନୀୟ ପୌର ପରିଷଦ ପକ୍ଷରୁ ନିର୍ମିତ ହୋଇଥିବା ବର୍ଜ୍ୟବସ୍ତୁ ପୃଥକୀ କରଣ ଓ ପୁନଃ ପ୍ରକ୍ରିୟା କରଣ କେନ୍ଦ୍ର ପରିଦର୍ଶନ କରିଥିଲେ।କର୍ମଶାଳାର ଅନ୍ତିମ ଦିବସରେ କୁକୁଡ଼ାଖଣ୍ଡି ବିଡ଼ିଓ ଗଦାଧର ପାତ୍ର, ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ଛତ୍ରପୁର ଚିକିଟି, ଗଞ୍ଜାମ, କବିସୂର୍ଯ୍ୟ ନଗର, ସାନ ଖେମୁଣ୍ଡି, ପାତ୍ରପୁର, ଓ ପୁରୁଷୋତ୍ତମ ପୁର ବ୍ଲକର ବିଡିଓ,ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମହାପାତ୍ର, କନିଷ୍ଠ ଯନ୍ତ୍ରୀ ସମୂହଙ୍କ ସହ ପ୍ରସନ୍ନ ଦଳାଇ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ୪୧ ପଞ୍ଚାୟତ ର ସରପଞ୍ଚ ମାନେ ଯୋଗ ଦେଇଥିଲେ।କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ମାନସ ରଞ୍ଜନ ଦାସଙ୍କ ସମେତ ପୌର ଓ ବ୍ଲକ କର୍ମଚାରୀ ମାନେ ସହଯୋଗ କରିଥିଲେ। (ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ)

Exit mobile version