ସହିଦ ଲକ୍ଷ୍ମଣ ନାୟକ ଓ ଜାତିର ଜନକ ମହାତ୍ମାଗାନ୍ଧୀଙ୍କୁ ସ୍ମୃତିଚାରଣ କଲା ଟିମ କ୍ଲିନ ସିଟି

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ବ୍ରହ୍ମପୁର :-  ଆଜି ଭାରତ ଛାଡ଼ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଆଦିବାସୀ ନେତା ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୧ତମ ଜନ୍ମ ତିଥି। ଏହି ଅବସରରେ ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଟିମ କ୍ଲିନ ସିଟି, ବ୍ରହ୍ମପୁର ପକ୍ଷରୁ ସ୍ମୃତିଚାରଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସହିଦ ଲକ୍ଷ୍ମଣ ନାୟକ ନଭେମ୍ବର ୨୨ତାରିଖ ୧୮୯୯ରେ ଜନ୍ମଗ୍ରହଣ କରିଥିଲେ। ଦାସତ୍ୱ ପ୍ରଥା ବିରୋଧରେ ପ୍ରତିବାଦର ସ୍ବର ସାଙ୍ଗକୁ ପରବର୍ତ୍ତୀ ସମୟରେ ଯୁବକାବସ୍ଥାରୁ ହିଁ ସେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ସାମିଲ ହୋଇଥିଲେ । ସହିଦ ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶ ପ୍ରେମ, ଅଦମ୍ୟ ସାହସ, ନିର୍ଭୀକ ସଂଗ୍ରାମୀ ଜୀବନୀ ସହିତ ଅସୀମ ତ୍ୟାଗ ଏ ଜାତି ପାଇଁ ଗର୍ବ ଓ ଗୌରବ।

ତେବେ ମାତ୍ର ୪୩ବର୍ଷ ବୟସରେ ୨୯ମାର୍ଚ୍ଚ ୧୯୪୩ମସିହାରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସହିଦ ଲକ୍ଷ୍ମଣ ନାୟକଙ୍କୁ ଇଂରେଜ ସରକାର ଫାଶୀ ଖୁଣ୍ଟରେ ଝୁଲାଇଥିଲେ । ଆଜିର ତିଥିରେ ସହିଦଙ୍କୁ ସ୍ମୃତିଚାରଣ କରି ଟିମ କ୍ଲିନ ସିଟିର ସଦସ୍ୟ ମାନେ ନିଜକୁ ଗର୍ବ ଅନୁଭବ କରିଛନ୍ତି। ଏହାସହିତ ଟିମ ପକ୍ଷରୁ ଜାରି ରହିଥିବା ସାପ୍ତାହିକ ସାମାଜିକ କାର୍ଯ୍ୟକ୍ରମରେ ଆଜି ସ୍ଥାନୀୟ ରାମଲିଙ୍ଗମ ଟେଙ୍କ ନିକଟସ୍ଥ ଗାନ୍ଧୀ ପାର୍କ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ସଫା କରିବା ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଚାରଣ କରାଯାଇଥିଲା। ଟିମର ଆଜିର ଏହି କାର୍ଯ୍ୟକ୍ରମରେ ବହୁ ସଦସ୍ୟ ସାମିଲ ହୋଇଥିଲେ। (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version