କୂଅ ପାଣିକୁ ନେଇ ଗଞ୍ଜେଇଡିହିରେ ଗଣ୍ଡଗୋଳ ; ବାପା ଓ ପୁଅକୁ ବାଡେଇ ଫିଙ୍ଗିଦେଲେ ପୋଖରୀରେ – ଢେଙ୍କାନାଳ

 

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର)  ଢେଙ୍କାନାଳ :- ଜିଲ୍ଲା ସଦର ବ୍ଲକ ଗଞ୍ଜେଇଡିହି ଗାଁରେ କୂଅରୁ ପାଣି ନେବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ। ଗୋଟିଏ ପରିବାରର ବାପା ଓ ପୁଅକୁ ଠେଙ୍ଗାରେ ବାଡେଇ ବାଡେଇ ପୋଖରୀରେ ଫିଙ୍ଗିଦେଲେ ଅପରପକ୍ଷ ପରିବାର ଏବଂ ସମାଧାନ ନିମନ୍ତେ ଆସିଥିବା ଗାଁ ମୁଖିଆଙ୍କୁ ମଧ୍ୟ ବାଜିଲା ଠେଙ୍ଗା ପାହାର ଏଭଳି ଅଭିଯୋଗ ଆଣିଛନ୍ତି ଗାଁ ଲୋକେ।

ସୂଚନା ମୁତାବକ,ଗଞ୍ଜେଇଡିହି ଗାଁ ମଝିରେ କୂଅ।କୂଅଟି ରହିଛି ଜଣଙ୍କ ଜାଗାରେ, ଖୋଳିଛନ୍ତି ଆଉ ଜଣେ କିନ୍ତୁ କୂଅରୁ ପାଣି ପିଅନ୍ତି ସାହିର ସମସ୍ତେ। ଗତ କିଛି ଦିନ ତଳେ କୂଅରୁ ପାଣି ନେବାକୁ ନେଇ ଦୁଇ ପରିବାର ଶ୍ୟାମସୁନ୍ଦର ଧଳ ଓ ଅକ୍ରୁର ଧଳଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ କୂଅ ଚାରିପଟେ ପାଚେରୀ ନିର୍ମାଣ କରାଯାଇଥିଲା ।

ଯାହାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିବା ବେଳେ ଆଜି ଗୋଟିଏ ପରିବାର ସଂଘବଦ୍ଧ ଭାବେ ଆକ୍ରମଣ କରି ଅପର ପକ୍ଷର ବାପା ଶ୍ୟାମସୁନ୍ଦର ଧଳ ଓ ପୁଅ ସନ୍ତୋଷ ଧଳଙ୍କୁ ଠେଙ୍ଗାରେ ବାଡେଇ ବାଡେଇ ପୋଖରୀରେ ଫିଙ୍ଗିଦେବା ସହ ସମାଧାନ ନିମନ୍ତେ ଆସିଥିବା ଗାଁ ମୁଖିଆ ପ୍ରାଣବନ୍ଧୁ ନାୟକ ମଧ୍ୟ ଠେଙ୍ଗା ପାହାରରୁ ବର୍ତ୍ତି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଏବଂ ବାପା ଓ ପୁଅକୁ ପୋଖରୀରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାକୁ ନେଇ ଭାପୁର ଫାଣ୍ଡିରେ ଏକ ମାମଲା ରୁଜ୍ଜୁ କରାଯାଇ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଧରିବାକୁ ତଦନ୍ତ ଜାରି ରହିଛି ବୋଲି ଜଣାଇଛନ୍ତି ଭାପୁର ଫାଣ୍ଡି ଅଧିକାରୀ ।(ରିପୋର୍ଟ୍, ଅମର ରଞ୍ଜନ ଦାସ।)

Exit mobile version