ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନର ଯୁବ ଚେତନା ପଦଯାତ୍ରା – ମା’ହିଙ୍ଗୁଳୀ ପୀଠ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ନଭେମ୍ବର ଗୁରୁବାର ) ଯାଜପୁର :- ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷ ଓ ଚାଷୀ ବଂଚାଇବା ଓ ରାଷ୍ଟ୍ର ନିର୍ମାଣ ଯୁବ ଚେତନା ପଦଯାତ୍ରା ଚଳିତ ମାସ ୧୫ ତାରିଖରୁ ଶୁଭାରମ୍ଭ ହୋଇଛି । ଏହି ପଦଯାତ୍ରା ୧୨ଦିନ ଧରି କରାଯିବା ସହିତ ଚଳିତ ମାସ ୨୬ ତାରିଖରେ ଉଦ୍‌ଯାପିତ ହେବ । ୧୫ ତାରିଖରେ ଜେନାପୁର ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଯାଜପୁର ଟାଉନ୍‌ଠାରେ ଉଦ୍‌ଯାପିତ ହେବ । ବୁଧବାର ରସୁଲପୁର ବ୍ଲକରୁ ବାହାରି କୋରାଇ ବ୍ଲକର ଖମଣ ପଂଚାୟତର ଶଙ୍ଖଚିଲାର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳୀ ଦେବୀଙ୍କ ପୀଠରେ ପହଂଚି ସେଠାରେ ଏକ ପଥପ୍ରାନ୍ତ ସଭା କରାଯାଇଥିଲା । ବର୍ତମାନ ଚାଷୀକୁଳ ସଙ୍କଟଜନକ ପରିସ୍ଥିତିରେ ଗତି କରୁଛି । ସବୁଠାରେ ଚାଷୀ ଲାଞ୍ଛିତ ହେଉଛି ।

ଦେଶର ଅନ୍ନଦାତା କୁହାଯାଉଥିବା କୃଷକ ଜମିକୁ ପାଣି ଯୋଗାଇ ଦିଆଯାଉ ନାହିଁ କି ଫସଲ ବିକ୍ରିର ସଠିକ୍ ମୂଲ୍ୟ ନାହିଁ କିମ୍ବା କୃଷକ ପ୍ରତି ସରକାରୀ ଅନୁକମ୍ପା ମଧ୍ୟ ଦିଆଯାଉ ନାହିଁ । ଯେଉଁଥିପାଇଁ କୃଷକ ପରିବାର ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଛି । ଯୁବପୀଢ଼ି ଆଉ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ବେକାରି ସମସ୍ୟା ବଢ଼ୁଥିବାରୁ ଯୁବକ ଏବେ ବାହାରେ ଦାଦନ ଖଟୁଛନ୍ତି । ବହୁ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉଚ୍ଚ ଶିକ୍ଷାଲାଭ କରିଥିବା ଶିକ୍ଷିତ ଯୁବକ ଏବେ ବେରୋଗାରୀ ହୋଇ ବୁଲୁଛନ୍ତି । ଗ୍ରାମାଂଚଳର ୩୦ଲକ୍ଷ ଯୁବକ ନିଜ ରାଜ୍ୟରେ ସରକାରୀ ପ୍ରୋତ୍ସାହନ ନପାଇ ବାହାରେ ଦାଦନ ଖଟୁଛନ୍ତି । ବାହାର ରାଜ୍ୟରେ କିଛିଦିନ କାର୍ଯ୍ୟ କରି ସେଠାରେ ଗୋଡ଼ ହାତ ଭାଙ୍ଗି ଘରକୁ ଫେରି ପରିବାର ଉପରେ ବୋଝ ହେଉଥିଲେ ବି ସରକାର ସେମାନଙ୍କ ପ୍ରତି ନିଘା ଦେଉ ନାହାନ୍ତି । ଏଭଳି ଅନେକ ସଙ୍କଟାପନ୍ନ ଅବସ୍ଥାରେ ଗତି କରୁଛି କୃଷକ ପରିବାର ।

ଯାହାର ପ୍ରତିବାଦରେ ଗାନ୍ଧୀବାଦର ବିଶ୍ୱାସ ରଖୁଥିବା ପ୍ରମୁଖ ଜନ ସଂଗଠନ ‘ନବ ନିର୍ମାଣ କୃଷକ ସଂଗଠନ’ ପଦଯାତ୍ରା କରି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରୁଛନ୍ତି । ଚଳିତ ମାସ ୨୬ ତାରିଖରେ ଏହି ପଦଯାତ୍ରାରେ ଶେଷ ହେବା ପରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦାବି ଉପସ୍ଥାପନ କରିଛି । ଚାଷୀ ଉତ୍ପାଦିଦ ସାମଗ୍ରୀର ଉଚିତ ମୂଲ୍ୟ, ଚାଷୀଙ୍କୁ ସ୧ାନ ମିଳିବା, ଯୁବକ ଅବସ୍ଥାରୁ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତା, ରାଜ୍ୟ ରିଲିଫ କୋର୍ଡ ସଂଶୋଧନ ସହିତ କ୍ଷତି ପୁରଣ ବାବଦକୁ ଏକର ପ୍ରତି ୧୫ହଜାର ଟଙ୍କା ପ୍ରଦାନ, ଚାଷୀ ଆତ୍ମହତ୍ୟାକୁ ସରକାରୀ ସ୍ୱୀକୃତି କରିବା, ଷଣ୍ଢ, ମାଙ୍କଡ଼, ହାତୀ କବଳରୁ ଫସଲକୁ ସୁରକ୍ଷା, କୃଷି ଭିତିକ ଶିଳ୍ପ ସ୍ଥାପନ, ସମସ୍ତ ଚାଷ ଜମିକୁ ଜଳ ସେଚନର ସୁବିଧା, ଚାଷୀକୁ ଋଣ ମୁକ୍ତ କରିବା, ଯୁବ ସମାଜକୁ ବେରୋଜଗାରୀରୁ ମୁକ୍ତି କରିବା, ମହିଳା ହିଂସାର ନିରାକରଣ, ବିକାଶ ନାମରେ ହରିଲୁଟ ହେଉଥିବା ଖଣିଜ ଓ ପ୍ରାକୃତିକ ସଂପଦର ସୁରକ୍ଷା, ସମାଜ ଓ ଗୁଣାତ୍ମକ ଶିକ୍ଷା, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଯୋଜନା,

ଚିଟଫଣ୍ଡ ଟଙ୍କା ଫେରସ୍ତ ଆଦି ସମସ୍ୟା ଉପରେ ଜନ ସଚେତନତା ସୃଷ୍ଟି କରିବା ସହିତ ଆଗାମୀ ଦିନରେ ଶକ୍ତିଶାଳୀ ଚାଷୀ ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯିବ ବୋଲି ପଥପ୍ରାନ୍ତ ସଭାରେ ଯୋଗ ଦେଇଥିବା ବରିଷ୍ଠ କାର୍ଯ୍ୟକତାମାନେ ମତବ୍ୟକ୍ତ କରିଥିଲେ । ଜିଲା ସଂଯୋଜକ ଦୁର୍ଗା ଚରଣ ଦାଶ, ସହ ସଂଯୋଜକ ବସନ୍ତ ନାୟକ, ସହ ସଂଯୋଜକ ଅଶୋକ ଶାନ୍ତିଙ୍କ ନେତୃତ୍ୱରେ ଏହି ପଦଯାତ୍ରା ଓ ପଥପ୍ରାନ୍ତ ସଭା କରାଯାଇଥିବା ବେଳେ ରାଜ୍ୟ ନେତୃମଣ୍ଡଳୀ ଯୋଗଦାନ କରି ବିଭିନ୍ନ ସ୍ଥାନରେ ଏମାନଙ୍କୁ ସମ୍ବୋଧିତ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଗଠନର ବହୁ ସଦସ୍ୟ ଯୋଗ ଦେଇ ସହଯୋଗ କରୁଥିବା ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି ।   (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ) 

Exit mobile version