କଟକରେ ଉଛେଦ ପାଇଁ ଚାଲିଲା ବୁଲଡୋଜର୍

 

ଓଡ଼ିଶା ତାଜା ନ୍ୟୁଜ୍ (୧୮ ନଭେମ୍ବର ବୁଧବାର )କଟକ  :- କ୍ଷଣିକ ମଧ୍ୟରେ ଧୂଳିସାତ ହୋଇଗଲା ରହିବା ଘର ଏବଂ ଦୋକାନ ଘର। ଏ ଚିତ୍ର ହେଉଛି ତାଳଦଣ୍ଡା କେନାଲ ରାସ୍ତାର , ମାତୃଭବନ ଠାରୁ ଛତ୍ରବଜାର ରାସ୍ତାର ପାର୍ଶ୍ୱରେ ଭଙ୍ଗା ଯାଉଥିବା ଦୋକାନ ଏବଂ ଘରର ଦୃଶ୍ୟ। ବୁଧବାର ସକାଳେ ପୋଲିସ୍ ଫୋର୍ସ ସହ ଜିଲ୍ଲା ପ୍ରଶାସନ ଅଧିକାରୀ, କଟକ ମହାନଗର ନିଗମ ର ଅଧିକାରୀ, ତହସିଲଦାର, ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ ସମ୍ପୃକ୍ତ ଅଞ୍ଚଳରେ । ଆଉ ଏସବୁ ହେଉଛି ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ୍ କୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର କରିଥିବା ଘୋଷଣା। ଆଜି ଏହାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇଛି ।

ଏଥିପାଇଁ ମାତୃଭବନ ଠାରୁ ଛତ୍ରବଜାର କେନାଲ୍ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ହୋଇଛି। ଉଠାଦୋକାନୀମାନଙ୍କୁ ମଧ୍ୟ ଦୋକାନ ଉଠାଯିବାକୁ କୁହାଯାଇଥିଲା। ଦୋକାନୀମାନେ ନିଜ ଆସବାବପତ୍ର ଧରି ଉଠିଯାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିବାବେଳେ ଥଇଥାନ କରିବାକୁ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଦୋକାନୀ । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପୂର୍ବରୁ ଦୋକାନ ଘର ଓ ରହିବା ଘରକୁ ଖାଲି କରିବା ପାଇଁ କୁହାଯାଇଥିଲା। ପୁର୍ବ ନିଷ୍ପତ୍ତି ଅନୁଯାୟୀ ଜେସିବି ମେସିନ ସାହାଯ୍ୟରେ ଆଜି ଜବରଦଖଲରେ ଥିବା 20ଟି ବାସଗୃହ ସମେତ 117 ଟି ଦୋକାନଗୃହକୁ ଭଙ୍ଗାଯାଇଥିଲା ।

ଲୋକମାନେ ସ୍ୱଇଚ୍ଛାରେ ସରକାରଙ୍କ ନିୟମକୁ ମାନିବା ସହ ସହଯୋଗ କରି ଘର ଛାଡିଥିବା କହିଛନ୍ତି ସିଏମସି ଡେପୁଟି କମିସନର। ଏହି ଉଚ୍ଛେଦ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ କ୍ଷତିଗ୍ରସ୍ତ ଦୋକାନୀମାନଙ୍କୁ ଅନ୍ୟତ୍ର ଥଇଥାନ ବ୍ୟବସ୍ଥା ସରିଛି। ଖୁବଶୀଘ୍ର ସେମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଡେପୁଟି କମିସନର ଅବିନାଶ ରାଉତ ।ପୁର୍ବରୁ ଯୋବ୍ରା ଆନିକଟ ଠାରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯାଇ ଉଦଘାଟନ ସରିଥିବାବେଳେ ପୁଣି ରାଣୀହାଟ ଠାରୁ ମାତୃଭବନ ଜାତୀୟ ରାଜପଥ ପର୍ଯ୍ୟନ୍ତ ସଂଯୋଗୀକରଣ କରାଯିବ। ଆଉ ଆଜି ଛତ୍ରବଜାର ପୋଲ ଯାଏଁ ଉଚ୍ଛେଦ ପ୍ରକ୍ରିୟା ସରିଥିବାବେଳେ ଆସନ୍ତାକାଲି ଠୁ ରାଣୀହାଟ ପର୍ଯ୍ୟନ୍ତ ଉଚ୍ଛେଦ ଚାଲିବ। ତେବେ ଆଜି ଉଚ୍ଛେଦ ପ୍ରକ୍ରିୟା ରେ 3 ପ୍ଲାଟୁନ ପୋଲିସ୍ ଫୋର୍ସ୍ ସହ ଏସିପି,ଥାନା ଅଧିକାରୀ, ସିଏମସି ଏନଫୋର୍ସମେଣ୍ଟ୍ ସ୍କ୍ୱର୍ଡ ସାମିଲ୍ ଥିଲେ। (କଟକରୁ ରିପୋର୍ଟ /ଅମୂଲ୍ୟ କୁମାର ବାରିକ) 

Exit mobile version