ଟ୍ରାକ୍ଟର ଓ ଟ୍ରକ୍ ଉପରେ ତହସିଲଦାରଙ୍କ ଜୁଲୁମ ; ପ୍ରତିବାଦ ରେ ତହସିଲ କାର୍ଯ୍ୟାଳୟ ଘେରିଲା ସଂଘ , ଦାବି ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ

ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ନଭେମ୍ବର ମଙ୍ଗଳବାର ) କୋଦଳା :– ଗଂଜାମ ଜିଲ୍ଲା କୋଦଳା ଦଣ୍ଡିଶ୍ୱର ଟ୍ରକ ଓ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ମଂଗଳବାର କୋଦଳା ତହସିଲ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋଦଳା ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କୁ ବିରୋଧ କରିଛି ଟ୍ରାକ୍ଟର ସଂଘ ।  ବିଲ୍ ଫର୍ମ ଥିଲେ ସୁଦ୍ଧା ବିଭିନ୍ନ ଆଳ ଦେଖାଇ ଟ୍ରକ ଓ ଟ୍ରାକ୍ଟର ମାଲିକ ମାନଙ୍କୁ ମାତ୍ରାଧିକ ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ କରିଛି ସଂଘ । ଏହି ତହସିଲ ଅନ୍ତର୍ଗତ ଆର୍ ଆଇ ଅମିନ ମାନେ ଅନବରତ ଭାବେ ଟ୍ରାକ୍ଟର ମାଲିକକୁଂ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଏପରିକି ସରକାରୀ କାର୍ଯ୍ୟ ଯଥା ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଟ୍ରାକ୍ଟରରେ ଯାଉଥିବା ବେଳେ ମଧ୍ୟ ହଇରାଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଟ୍ରାକ୍ଟର ମାଲିକ ମାନେ। ତହସିଲଦାର ଙ୍କ ଏଭଳି ମନମୁଖୀକାର୍ଯ୍ୟକୁ ବିରୋଧ କରି ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ମାଲିକ ମାନେ ପ୍ରତିବାଦ କରିଛନ୍ତି । ତହସିଲଦାରଙ୍କୁ ଏନେଇ ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ବେଆଇନ ଗାଡି ଗୁଡିକ ଉପରେ ଜୋରିମାନା ଆଦାୟ କରାଯାଉଥିବା କହିଛନ୍ତି ତହସିଲଦାର । ତୁରନ୍ତ ଦାବି ଗୁଡିକ ନ ମାନିଲେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଅଞ୍ଚଳରେ ଟ୍ରାକ୍ଟର ସେବାକୁ ଠପ୍ କରାଯିବ ବୋଲି ନିଷ୍ପତ୍ତି ନେଇଛି ସଂଘ । (ରିପୋର୍ଟ :ଶେଷଦେବ ସାହୁ )

Exit mobile version