ଭିଜିଲାନ୍ସ ଜାଲରେ ଧରାପଡିଲେ ; ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଲାଞ୍ଚୁଆ କନିଷ୍ଠ ଯନ୍ତ୍ରୀ, ଢେଙ୍କାନାଳ

 

ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ନଭେମ୍ବର ମଙ୍ଗଳବାର )ଢେଙ୍କାନାଳ :-ଆଜି ଅପରାହ୍ନରେ କଟକ ଓ ଢେଙ୍କାନାଳ ଭିଜିଲାନ୍ସ ବିଭାଗ ଯୋଜନା ମୁତାବକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ମିଳିତ ଚଢଉ କରି ବିଭାଗର ଜେଇ ଜଣେ ଠିକାଦାରଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିବା ସହ ଏଥିରେ ସଂପୃକ୍ତ ଥିବା ଉକ୍ତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ ରଖି ଡ଼ାକ୍ତରୀ ପରୀକ୍ଷା କରାଯାଇଛି ।

ସୁଚନା ମୁତାବକ, ଗତକାଲି କଟକ ଭିଜିଲାନ୍ସ ନିକଟରେ ଆଖଣ୍ଡଳମଣି ଇଲେକ୍ଟ୍ରିକାଲ କମ୍ପାନୀର ପ୍ରୋଜେକ୍ଟ କୋର୍ଡିନେଟର ଜଗମୋହନ ପଣ୍ଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ କରିଥିବା ଏକ ଲାଇଟ୍ କାମରେ ବାକିଥିବା ୨୭ ଲକ୍ଷ ଟଙ୍କା ବିଲ କରାଇବା ପାଇଁ ୩୨ ହଜାର ଟଙ୍କା ଲାଞ୍ଚ ମାଗୁଥିବା କନିଷ୍ଠ ଯନ୍ତ୍ରୀ ବିପିନ୍ ଦାସଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କଟକ ଭିଜିଲାନ୍ସ ବିଭାଗ ୧୭/୨୦୨୦ରେ ଏକ କେସ୍ ରୁଜୁ କରି ବିଧିବଦ୍ଧ ପଦକ୍ଷେପ ନେଇ ଯୋଜନା ମୁତାବକ ଆଜି ଅପରାହ୍ନ ୩:୩୫ମି ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଭିତରେ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ବିପିନ୍ ଦାସଙ୍କ ନିର୍ଦ୍ଦେଶକ୍ରମେ  ଶକ୍ତି ପ୍ରସାଦ ମହାନ୍ତି ଅଭିଯୋଗକାରୀଙ୍କ ଠାରୁ ୧୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ ।

ତତ୍ କ୍ଷଣାତ ଉଭୟଙ୍କ ଟେଲିଫୋନ ଯାଞ୍ଚ କରିବାରୁ ଜଣାପଡିଛି ଯେ,ଯନ୍ତ୍ରୀ ବିପିନ୍ ଦାସ ୩ଟା ୨୩ମି ରେ  ଶକ୍ତି ପ୍ରସାଦଙ୍କୁ ଲାଞ୍ଚଟଙ୍କା ନେବାପାଇଁ ଫୋନ କରି ଡାକିଥିଲେ ଏବଂ ଏ କଥା ସେ ନିଜେ ମଧ୍ୟ ସ୍ବୀକାର କରିଛନ୍ତି । ଘଟଣାସ୍ଥଳରେ ଉଭୟଙ୍କୁ ଗିରଫ କରି କୋଭିଡ୍ ଓ ଡ଼ାକ୍ତରୀପରୀକ୍ଷା ନିମନ୍ତେ ମେଡିକାଲ ପଠାଇବା ସହ ଅଭିଯୁକ୍ତ ସମ୍ବନ୍ଧୀୟ କାଗଜପତ୍ରରେ ମିଳିତ ଭିଜିଲାନ୍ସ ବିଭାଗର ତଦନ୍ତ ଜାରି ରହିଛି। (ରିପୋର୍ଟ  -ଅମର ରଞ୍ଜନ ଦାସ )

Exit mobile version