90 ବର୍ଷ ବୟସରେ ପରଲୋକ ଗଲେ ହଲିଉଡ ଜେମସ ବଣ୍ଡର ଅଭିନେତା ସିନ୍ କନେରି

ଓଡ଼ିଶା ତାଜା ନ୍ୟୁଜ (୧ ନଭେମ୍ବର ରବିବାର) ଲଣ୍ଡନ : ହଲିଉଡ୍ ଫିଲ୍ମ ଜଗତରେ ଜେମସ୍ ବଣ୍ଡ ନାଁ’ରେ ପରିଚିତ ଅଭିନେତା ସିନ୍‌ କନେରି ଙ୍କ ୯୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶନିବାର ଏନେଇ ତାଙ୍କର ପରିବାର ଲୋକେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହଲିଉଡ୍ ଫିଲ୍ମ ଜଗତରେ ଜେମ୍ସ ବଣ୍ଡ ଚରିତ୍ରରେ ଅଭିନୟ କରିଥିବା ପ୍ରଥମ ଅଭିନେତା ହେଉଛନ୍ତି ସିନ୍‌ କନେରି । ପ୍ରଥମ ଅଭିନେତା ଭାବେ ବଡ଼ ପରଦାରେ ଜେମ୍ସ ବଣ୍ଡ ରୋଲ୍‌ ପ୍ଲେ କରିଥିଲେ ସିନ୍‌।ତେବେ ସେବେଠାରୁ ସେ ପ୍ରତି ଫିଲ୍ମରେ ନଜର ଆସିଛନ୍ତି। ୧୯୬୨ରୁ ୧୯୮୩ ମଧ୍ୟରେ ହଲିଉଡର ବହୁ ଚର୍ଚ୍ଚିତ ସିରିଜ ‘ଜେମ୍ସ ବଣ୍ଡ’ରେ ସେ ଅଭିନୟ କରିଥିଲେ । ‘ଜେମ୍ସ ବଣ୍ଡ’ ସିରିଜର ୭ଟି ଫିଲ୍ମରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିଥିଲେ ।

ଏହା ବ୍ୟତିତ ସିନ୍‌ କନେରି ଦି ଅନଟୁଚେବୁଲ୍ସ, ହଣ୍ଟ ଫର୍ ରେଡ ଅକ୍ଟୋବର, ଇଣ୍ଡିଆନା ଜୋନ୍ସ ଆଣ୍ଡ ଦ ଲାଷ୍ଟ କ୍ରୁସେଡ୍‌’, ‘ମର୍ଡର ଅନ୍ ଦ ଓରିଏଣ୍ଟେ ଏକ୍ସପ୍ରେସ’, ‘ଦ ରକ୍‌’, ‘ଡକ୍ଟର ନୋ’, ‘ୟୁ ଓନ୍‌ଲି ଲାଇଭ୍ ଟ୍ୱାଇସ୍‌’, ‘ଡାଇମଣ୍ଡସ୍ ଆର୍ ଫରେଭର’ ଏବଂ ‘ନେଭର ସେ ନେଭର ଏଗେନ୍‌’ ଭଳି ଅନେକ ଫିଲ୍କ କରିଛନ୍ତି। ସିନ୍‌ କନେରି ପ୍ରଥମେ ୧୯୮୮ ରେ ’ବ୍ରାଇଏନ୍‌ ଡି ପାଲ୍‌ମାଙ୍କ ‘ଦି ଅନ୍‌ଟଚେବଲ୍‌’ ଚଳଚ୍ଚିତ୍ର ପାଇଁ ଓସ୍କାର ପାଇଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ଆଇରିସୀୟ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ଚଳିତ ବର୍ଷ ଅଗଷ୍ଟରେ ସେ ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିଥିଲେ। ୨୦୦୦ ମସିହାରେ ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କଦ୍ବାରା ‘ନାଇଟ୍‌’ ଉପାଧି ପ୍ରାପ୍ତ ଏହି ସ୍କଟିସ୍‌ ଅଭିନେତା ତାଙ୍କ ଅଭିନୟ କ୍ୟାରିୟର୍‌ରେ ଗୋଟିଏ ‘ଓସ୍କାର୍‌’, ଦୁଇଟି ‘ଗୋଲ୍‌ଡେନ୍‌ ଗ୍ଲୋବ୍‌’ ଏବଂ ଦୁଇଟି ‘ବାଫ୍‌ଟା ପୁରସ୍କାର’ ସମେତ ଅନେକ ପୁରସ୍କାର ଓ ସମ୍ମାନରେ ଭୂଷିତ ହୋଇଥିଲେ। (ଚିଫ ଏଡିଟର,ସ୍ବରୂପ ଦାସ )

Exit mobile version