ନିଶାସକ୍ତ ୪ ମଦୁଆ ଯୁବକମାନେ ଦୁଇ ଚାଷୀଙ୍କୁ ଠେଙ୍ଗା ଓ ପଥରରେ ପିଟି ଆକ୍ରମଣ କଲେ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ଅକ୍ଟୋବର ସୋମବାର ) ସିମୁଳିଆ :- ମଦ ନିଶାରେ ୪ ମଦୁଆ ରାସ୍ତାରେ ଯାଉଥିବା ୨ ଜଣ ଚାଷୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ । ଏନେଇ ଅଭିଯୋଗ ହେବା ପରେ ପୁଲିସ ଆହତ ଦୁଇ ଚାଷୀଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା ବେଳେ ମଦୁଆଙ୍କୁ ଅଟକ ରଖିଛି । ଜାମୁଝାଡ଼ି ଛକରେ ଏକ ମଦ କାଉଣ୍ଟରର ରହିଛି । ଏଠାରେ ମଦ ପିଇବା ବାରଣ ରହିଛି । ଏହା ସତ୍ତ୍ୱେ ବାଉରିପଦା ଅଞ୍ଚଳର ୪ ଜଣ ଯୁବକ ମଦ କିଣି ସେଠାରେ ପିଇଥିଲେ । ସେମାନଙ୍କ ଭିତରେ ଜଣେ ଏକ ବ୍ୟାଙ୍କର ମ୍ୟାନେଜର ଅଛନ୍ତି । ମଦ ପିଇବା ପରେ ନିଶାସକ୍ତ ଅବସ୍ଥାରେ ୪ ଜଣ ଯୁବକ ରାସ୍ତାରେ ବୁଲିବା ସହିତ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଛି ।

ଏପରିକି ସେହି ରାସ୍ତା ଦେଇ ଯାଉଥିବା ଜଣେ ଚାଷୀଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ନିଶାସକ୍ତ ଯୁବକମାନେ ସମ୍ପୃକ୍ତ ଚାଷୀଙ୍କୁ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ । ତାଙ୍କୁ ବଞ୍ଚାଇବାକୁ ଆସି ଆଉ ଜଣେ ଚାଷୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ସିମୁଳିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆକ୍ରମଣ କରିଥିବା ୪ ଯୁବକଙ୍କୁ ଅଟକ ରଖିଥିବା ବେଳେ ଗୁରୁତର ଚାଷୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଗୁରୁତର ଦୁଇ ଜଣ ହେଲେ ଗଜେନ୍ଦ୍ର ବେହେରା ଓ ପ୍ରହ୍ଲାଦ ପାତ୍ର । (ଦୀପ୍ତିମାନ ପତି /ବାଲେଶ୍ୱର )

Exit mobile version