ଦାଦା ବଟିକୁ ନା ମିଶନ ପରେ ଦାଦାଙ୍କ ଦାଦାଗିରି

ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର) ଭୁବନେଶ୍ୱର : ଭୁବନେଶ୍ୱରରେ ଦାଦାଙ୍କ ଚାନ୍ଦା ଉପରେ କଡା ନଜର ରଖିଛି କମିଶନରେଟ ପୋଲିସ। ଭୁବନେଶ୍ୱର ସାଲିଆସାହିରେ ଦାଦାବଟି ମାଗୁଥିବା ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ନୟାପଲ୍ଲୀ ଥାନାର ପୋଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି । ଜଣେ ଅଭିଯୁକ୍ତର ମା’ ଓ ଭଉଣୀ ମିଳିତ ଭାବେ ବିଧା ଗୋଇଠା ମାରିବା ସହ କାଠ ଫାଳିଆରେ ନିର୍ଘାତ ପିଟିବାରୁ ଏସ୍‌ଆଇ ବିଜୟ କୁମାର ବାରିକ, କନ୍‌ଷ୍ଟେବଳ ଜ୍ୟୋତ୍ସ୍ନାରାଣୀ ସାହୁ, ହୋମ୍‌ଗାର୍ଡ ଦୀପ୍ତିରଞ୍ଜନ ପାଟଶାଣୀ ଆହତ ହୋଇଛନ୍ତି । ଏସ୍‌ଆଇ ବିଜୟଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସେଠୀ, ମା’ ଅନ୍ନପୂର୍ଣ୍ଣା ଓ ଭଉଣୀ ବିଷ୍ଣୁପ୍ରିୟାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ସାଲିଆସାହି ତାରିଣୀ ନଗରରେ ରହୁଥିବା ରିଆସତ ଖାନ୍‌ ଗତ ୨୦ ତାରିଖ ରାତି ପ୍ରାୟ ୧୦ଟାରେ ସ୍କୁଟିରେ ସ୍ତ୍ରୀଙ୍କୁ ବସାଇ ଘରକୁ ଫେରୁଥିଲେ। ଉକ୍ତ ଅଞ୍ଚଳର ସଞ୍ଜୟ ତାଙ୍କ ସ୍କୁଟିକୁ ଅଟକାଇ ୩୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ସଞ୍ଜୟ ସହିତ ପ୍ରସାନ୍ତ ଓରଫ ଲିଟୁ ମଧ୍ୟ ସହଯୋଗ କରିଥିଲେ । ରିଆସତ ଟଙ୍କା ଦେବାକୁ ମନା କରିବାରୁ ସେ ତାଙ୍କ ସ୍କୁଟିକୁ ଛଡ଼ାଇ ରଖିଥିଲେ। ଏନେଇ ରିଆସତ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଆଇ ବିଜୟ ବାରିକ ମାମଲାର ତଦନ୍ତ କରୁଥିଲେ। ଗୁରୁବାର ଅପରାହ୍ନ ୨ଟାରେ ପୋଲିସ ଟିମ୍‌ ସହ ସଞ୍ଜୟଙ୍କ ଘରେ ପହଞ୍ଚତ୍ ଘଟଣା ସଂକ୍ରାନ୍ତରେ ପଚାରିଥିଲେ। ହେଲେ ବିଷ୍ଣୁପ୍ରିୟା ଏବଂ ଅନ୍ନପୂର୍ଣ୍ଣା ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ। ଟିମ୍‌ର ଅନ୍ୟ ସଦସ୍ୟଙ୍କୁ କାଠ ଫାଳିଆରେ ପିଟିଥିଲେ। ଏପରି କି ବିଜୟଙ୍କ ବେକରୁ ସୁନାଚେନ୍‌କୁ ମଧ୍ୟ ଲୁଟି ନେଇଥିଲେ। ଜୀବନକୁ ବାଜି ଲଗାଇ ପୋଲିସ ଟିମ୍‌ ସଞ୍ଜୟଙ୍କୁ କାବୁ କରିନେଇଥିବା ଦେଖି ତାଙ୍କ ମାଆ ଓ ଭଉଣୀ ପନିକିରେ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। କାଠଫାଳିଆ ମାଡ଼ରେ କନ୍‌ଷ୍ଟେବଳ ଦୀପ୍ତିରଞ୍ଜନଙ୍କ ହାତରେ ଗଭୀର ଆଘାତ ଲାଗିଛି। ଶେଷରେ ଜୀବନ ବଞ୍ଚାଇବାକୁ ଯାଇ ପୋଲିସ ସେଠାରୁ ପଳାଇ ଆସିଥିଲା। ଶୁକ୍ରବାର ଅଧିକ ଫୋର୍ସ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସ୍କୁଟିକୁ ଉଦ୍ଧାର କରିଛି ।

ଲୋକଙ୍କ କହିବା ଅନୁଯାୟୀ ସଞ୍ଜୟ ସେଠୀ, ପ୍ରଶାନ୍ତ ଓରଫ ଲିଟୁ ତାଙ୍କ ସହଯୋଗୀଙ୍କ ସହ ସାଲିଆସାହିର ଛୋଟମୋଟ ଦୋକାନରୁ ବଟି ଆଦାୟ କରନ୍ତି। ବିଭିନ୍ନ ସମୟରେ ବାହାର ଗୁଣ୍ଡାଙ୍କୁ ଆଣି ସାହି ଭିତରେ ରଖି ଗୁଣ୍ଡାଗର୍ଦି କରନ୍ତି। ବିଭିନ୍ନ ଆଳ ଦେଖାଇ ଗରିବ ନିରୀହ ଲୋକମାନଙ୍କୁ ଲୁଟିବା ସହିତ ନାନାଦି ଅପରାଧ କରନ୍ତି। ଖାଲି ସେତିକି ନୁହେଁ ଝିଅବୋହୁ ମାନଙ୍କୁ ଖରାପ ନଜରରେ ଦେଖିବା ସହିତ ରାସ୍ତା ଉପରେ ମଦପିଇ ଆଡା ଜମାନ୍ତି। ସେମାନଙ୍କ କାର୍ଯ୍ୟକଳାପରେ ଲୋକମାନେ ଅତିଷ୍ଠ ହେଉଥିଲେ ମଧ୍ୟ ଭୟରେ କେହି ମୁହଁ ଖୋଲୁ ନଥିଲେ। ପୋଲିସ ଗିରଫ କରିବା ପରେ ସାହିରେ ଏବେ ବିଭିନ୍ନ କଥା ଉଠୁଛି। ଆଗକୁ କେତେ କେସ୍ ସାମ୍ନାକୁ ଆସିବ ସମୟ କହିବ । ଚିଫ ଏଡିଟର,ସ୍ବରୂପ ଦାସ

Exit mobile version