ଛିଡା ହୋଇଥିବା ଟ୍ରକ ପଛରୁ ଚଳନ୍ତା ଟ୍ରକ ବାଡେଇ ଚାଳକ ଓ ସହାୟକ ମୃତ

ଓଡ଼ିଶା ତାଜା ନ୍ୟୁଜ (୨୫ ଅକ୍ଟୋବର ରବିବାର) ଅନୁଗୋଳ : ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଭାଗିରଥୀପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍‌ ପଛରେ ଆଉ ଏକ ଟ୍ରକ୍ ପିଟି ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍ ‌।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭାଗିରଥୀପୁର ନିକଟରେ ଥିବା ଏକ ଢାବା ସମ୍ମୁଖରେ କୋଇଲା ବୋଝେଇ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ଏହି ସମୟରେ ଅନୁଗୋଳରୁ ଆଇରନ ପ୍ଲେଟ୍‌ ରୋଲ୍‌ ନେଇ ସମ୍ବଲପୁର ଅଭିମୁଖେ ଯାଉଥିବା ଅନ୍ୟ ଏକ ଟ୍ରକ୍ ଏହି କୋଇଲା ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକର ଚାଳକ ଓ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିଲା।

ମୃତକ ଦ୍ୱୟଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଭିତରୁ ବାହାର କରିବା ପାଇଁ ଦୀର୍ଘ ସମୟ ଲାଗିଥିଲା। ଜରପଡ଼ା ପୁଲିସ ଓ ଅନୁଗୋଳ ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତକ ଦ୍ୱୟଙ୍କୁ ସେଥିରୁ ବାହାର କରିଥିଲେ।ପୁଲିସ ମୃତଦେହ ଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଜରପଡ଼ା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ଚିଫ ଏଡିଟର,ସ୍ବରୂପ ଦାସ

Exit mobile version