ଓଡ଼ିଶା ତାଜା ନ୍ୟୁଜ (୨୪ ଅକ୍ଟୋବର ଶନିବାର) ବ୍ରହ୍ମପୁର :- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା 1433, ତାରିଖ 12.10.20 ପ୍ରକାରେ ବୁଗୁଡା ବ୍ଲକର 8 ଟି ବିଦ୍ୟାଳୟ ବନ୍ଦ ହୋଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ ହୋଇଅଛି। ବୁଗୁଡା ବ୍ଲକରେ ବନ୍ଦ ହୋଇଥିବା ଆଠଟି ବିଦ୍ୟାଳୟ ହେଲା ଝାଟିକାପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, କୈଳାଶ ନଗର ପ୍ରାଥମିକ ବିଦ୍ୟାଳୟ, ଖୁଦପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ମହୁଲପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ନରସିଂହ ପାଟଣା ପ୍ରାଥମିକ ବିଦ୍ୟାଳୟ, ସଦାଶିବପୁର ପ୍ରାଥମିକ ବିଦ୍ୟାଳୟ, ସାପୁଆପଲ୍ଲୀ ପ୍ରାଥମିକ ବିଦ୍ୟାଳୟ, ଓ ଷୋଳ ମଇଲ ପ୍ରକଳ୍ପ ବିଦ୍ୟାଳୟ ।
ବିଦ୍ୟାଳୟ ବନ୍ଦ ହେବା ଖବର ଜାଣିବା ପରେ ନରସିଂହ ପାଟଣା ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା 20 ଜଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକ ବୃନ୍ଦ ଅକ୍ଟୋବର 22 ତାରିଖରେ ସ୍କୁଲରେ ତାଲା ପକାଇ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ବିଷୟ ନେଇ ବୁଗୁଡା ବିଇଓ ଅଫିସକୁ ଫୋନକରି ଜଣାଇ ଥିଲେ ମଧ୍ୟ ବିଇଓ ରସାନନ୍ଦ କର ଅଫିସ କାର୍ଯ୍ୟରେ ଅନ୍ୟତ୍ର ଚାଲିଯାଇଥିବା ଯୋଗୁ ବହୁସମୟ ଧରି ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଳିଅ ସାମଲ ଓ ସହକାରୀ ଶିକ୍ଷୟିତ୍ରୀ ମମତା କୁମାରୀ ଦାସ ସ୍କୁଲ ବାହାରେ ଠିଆ ହୋଇ ରହିଥିଲେ।
ପରେ ପ୍ରଧାନ ଶିକ୍ଷକ ଅଭିଭାବକମାନଙ୍କୁ ବୁଝାଇବା ପରେ ସ୍କୁଲ ଫାଟକରୁ ତାଲା ଓ ଧାରଣା ହଟି ଥିଲା। ଗ୍ରାମବାସୀ ବୃନ୍ଦ ଜିଲ୍ଳାପାଳ ଓ ବିଇଓ ଙ୍କୁ ଲିଖିତ ଅନୁରୋଧ କରିଛନ୍ତି ଯେ ଚଳିତ ଶିକ୍ଷା ବର୍ଷ ଠାରୁ ସ୍କୁଲରେ ଯେପରି 30 ରୁ ଅଧିକ ଛାତ୍ରଛାତ୍ରୀ ପଢିବେ ସେହି ବନ୍ଦୋବସ୍ତ କରିବେ,ମାତ୍ର ଗ୍ରାମର ସ୍କୁଲ ବନ୍ଦ କରିବା ନିର୍ଦ୍ଦେଶ ରଦ୍ଦ କରାଯାଉ। କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତିକୁ ରାଜ୍ୟ ସରକାର ଗ୍ରହଣ କରିବା ପରେ ସ୍କୁଲ ଠାରୁ ଏକ କିଲୋମିଟର ଦୁରଠାରୁ ଅଧିକ ସ୍ଥାନର ପିଲାମାନେ ପଢିବା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା ନିଶ୍ଚିତ ଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍କୁଲ ବନ୍ଦ ନିଷ୍ପତ୍ତି ଯୋଗୁଁ ଜନ ଅସନ୍ତୋଷ ଦେଖାଦେଇଛି । (ରିପୋର୍ଟ / ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ)
