
ଓଡ଼ିଶା ତାଜା ନିୟୁଜ୍ (୨୩ ଅକ୍ଟୋବର ଶୁକ୍ରବାର) ଢେଙ୍କାନାଳ :- ଜିଲ୍ଲାର ଐତିହାସିକ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟା ସାତ ଆଶ୍ଚର୍ଯ୍ୟରୁ ଗୋଟେ । ସାତଟି ପାହାଡ଼ର ମଝିରେ ଅବସ୍ଥିତ ବିଶ୍ଵ ପ୍ରସିଦ୍ଧ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ଓ ପାଦଦେଶରେ ରହିଛି କୃଷି ବିଭାଗର ବିରାଟ ଉଦ୍ୟାନ ଏବଂ ସେହି ଉଦ୍ୟାନ ଭିତରେ ଦୀର୍ଘବର୍ଷ ଧରି ଭ୍ରମରେ ବୁଲୁଛନ୍ତି ଭିନ୍ନକ୍ଷମ ବୃଦ୍ଧ ଭ୍ରମର ବର ସ୍ଵାଇଁ । ଭ୍ରମର ବର ଘର କାମାକ୍ଷାନଗର ଅନ୍ତର୍ଗତ ବାଲି ଗୋରଡ ଗ୍ରାମ । ପିଲା ବେଳେ ଅକସ୍ମାତ୍ ଏକ ଅଘଟଣ ଘଟି ଡାହାଣ ହାତଟି ହରେଇ ବସିଲେ । କିଛି ଉପାୟ ନପାଇ ପ୍ରଭୁଙ୍କୁ ଆଶ୍ରା କରି ତାଙ୍କରି ପାଦତଳେ ମୁଲ ଲାଗିବାକୁ କଅଁଳ ଜବାନ ବୟସରେ ଚାଲି ଆସିଲେ ଗାଁଠୁ ଦୂର ସପ୍ତଶଯ୍ୟା କୃଷି ବିଭାଗର ପ୍ରାୟ ଦୁଇଶହ ଏକରରୁ ଉର୍ଦ୍ଧ୍ବ ବିରାଟ ଉଦ୍ୟାନକୁ ।
ସେବେଠୁ ସାତ ଟଙ୍କାରୁ ମୁଲ ଆରମ୍ଭ କରି ଆଜି ଦୀର୍ଘ ଚାଳିଶି ବର୍ଷ ପରେ ଦୁଇଶହ ଅଶିଟଙ୍କା ଦୈନିକ ମଜୁରୀ ପାଇ ସରକାରୀ ବଗିଚାକୁ ଏକୁଟିଆ ସୁନ୍ଦର ଭାବେ ଗଢିଥିବା ବେଳେ ନିଜେ ଚଳି ପରିବାର ପ୍ରତିପୋଷଣ କରିବା ବହୁ କଷ୍ଟ ହୋଇ ପଡ଼ିଛି । ତାରି ଭିତରେ ବହୁ କଷ୍ଟରେ ଦୁଇ ପୁଅ ବାହା ସାରିଛି । ସହାୟତା କହିଲେ କେବଳ ଭିନ୍ନକ୍ଷମ ଭତ୍ତା ମିଳୁଛି । ସରକାରୀ ସୁବିଧା ଟିକକ ପାଇଁ ଦୀର୍ଘବର୍ଷ ଧରି ଭୋକରେ ଆଉଟୁପାଉଟୁ ହୋଇ ଉଦ୍ୟାନ ଭିତରେ ଭ୍ରମରେ ବୁଲୁଛନ୍ତି ବୃଦ୍ଧ ଭିନ୍ନକ୍ଷମ ଭ୍ରମର ବର । ଅବହେଳିତ ବୃଦ୍ଧ ଭିନ୍ନକ୍ଷମ ଭ୍ରମର ବରଙ୍କ ଦୁଃଖ ଜିଲ୍ଲା ପ୍ରଶାସନ ଦୃଦୟଙ୍ଗମ କରି ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି । (ରିପୋର୍ଟ୍ ଅମର ରଞ୍ଜନ ଦାସ)
