ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ବରିଷ୍ଠ ଚାଷୀଙ୍କୁ ସମ୍ମାନୀତ

ଓଡ଼ିଶା ତାଜା ନ୍ୟୁଜ ( ୧୧ ଅକ୍ଟୋବର ରବିବାର ) ଖଲିକୋଟ :-  ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ ତମ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଏଜ ଓଡ଼ିଆ ତରଫରୁ ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଳକ ଅନ୍ତର୍ଗତ ଭେଜିପୁଟ ଠାରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ବିଶେଷ ଭାବରେ କୃଷକ ମାନେ ଯିଏ ସାରା ବିଶ୍ବକୁ ଖାଦ୍ୟ ଯୋଗାଉଛି ,ସେମାନଙ୍କ ସମ୍ମାନ ପାଇଁ କୋଡିଏ ଜଣ ବୟୋଜ୍ୟେଷ୍ଠ କୃଷକଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ମାନପତ୍ର ଓ ଉପଢୌକନ ଦେଇ ଅତିଥି ମାନେ ବିଶ୍ବ ଭୂମି ପୁତ୍ର ଭାବରେ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଭେଜିପୁଟ ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ନାନୀତ ଅତିଥି ଭାବରେ ବ୍ରହ୍ମପୁରର ଅବସରପ୍ରାପ୍ତ ଭାରତୀୟ ସୈନିକ ରାଜେନ୍ଦ୍ର କୁମାର ପାତ୍ର ଦେଶରେ କୃଷକ ଓ ସୈନିକ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।

ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଟି ବିଜୟ ରାଓ,ସମାଜସେବୀ ଅମ୍ବୁଜା ଚରଣ ପାଣିଗ୍ରାହୀ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ମୂଖ୍ୟ ବକ୍ତା ଭାବରେ ଅନୁଷ୍ଠାନର ରାଜ୍ୟ ଉପଦେଷ୍ଟା ସମାଜସେବୀ ତଥା ସାମ୍ବାଦିକ ଅଶୋକ କୁମାର ତ୍ରିପାଠୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଜନସାଧାରଣଙ୍କୁ କହିଥିଲେ। ଅନୁଷ୍ଠାନର ସଭାପତି ରବିନ୍ଦ୍ର କୁମାର ସାହୁ ନିଜ ବକ୍ତବ୍ୟରେ କୃଷକ ମାନଙ୍କୁ ସମ୍ମାନ ଓ ମାତାପିତାଙ୍କ ସେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିବା ସହ ଗୋପବନ୍ଧୁ ଦାସଙ୍କ କବିତା ମିଶୁ ମୋର ଦେହ ଏ ଦେଶ ମାଟିରେର ତାତ୍ପର୍ଯ୍ୟ ବିଷୟରେ କହିଥିଲେ। ଉପସଭାପତି ତଥା ଜିଲ୍ଲା ପାରାଲିଗାଲ ଭଲ୍ୟୁଣ୍ଟର ପଦ୍ମ ଚରଣ ସାହୁ ସଭା ପରିଚାଳନା କରିଥିଲେ। ଶୁଭାଜିତ ମହାନ୍ତି ଓ ସନ୍ତୋଷ କୁମାର ରାଉଳ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ତିଥିରେ କୃଷକ ମାନଙ୍କୁ ଏପରି ନିଆରା ଢଙ୍ଗରେ ସମ୍ମାନୀତ କରା ଯାଇଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। (ରିପୋର୍ଟ : ଶେଷଦେବ ସାହୁ : ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version