ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ ପ୍ରସଙ୍ଗ ବିଧାନସଭାରେ ଉଠାଇଲେ ସନାତନ ବିଜୁଳି


ବଟି ଆଦାୟ ଓ ବ୍ଲାକମେଲିଂ କରୁଥିବା ନକଲି ମିଡିଆ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି, ବାଚସ୍ପତିଙ୍କ ରୁଲିଂ ଲୋଡ଼ିଲେ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ରାଜ୍ୟରେ ସାମ୍ବାଦିକତା ନାଁରେ ବ୍ଲାକମେଲିଂ, ଚାନ୍ଦା ଓ ବଟି ଆଦାୟ କରୁଥିବା ଅନାମଧେୟ ଗଣମାଧ୍ୟମ ସଂସ୍ଥା ଏବଂ ନକଲି ସାମ୍ବାଦିକଙ୍କ ଦୌରାତ୍ମ୍ୟ ପ୍ରସଙ୍ଗ ବୁଧବାର ବିଧାନସଭାରେ ଉଠାଇଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ଶୂନ୍ୟକାଳରେ ଏହି ଗୁରୁତର ପ୍ରସଙ୍ଗ ଉଠାଇ ସେ ଏଭଳି ବ୍ୟକ୍ତି ଓ ସଂସ୍ଥାଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି । ସନାତନ ବିଜୁଳି କହିଥିଲେ ଯେ, କିଛି ଅନାମଧେୟ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ବୁମ୍‌ ଓ ଆଇକାର୍ଡ ଲଗାଇ ସାମ୍ବାଦିକତାର ଆଳରେ ବିଭିନ୍ନ ସ୍ଥାନରେ ବୁଲୁଛନ୍ତି ।

ସେମାନେ ଠିକାଦାର, ବ୍ୟବସାୟୀ ଓ ସମାଜର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଫଟୋ ଓ ଭିଡିଓ ଗୁପ୍ତରେ ଉତ୍ତୋଳନ କରି ସେମାନଙ୍କୁ ଚାନ୍ଦା ଓ ବଟି ମାଗୁଛନ୍ତି। ଟଙ୍କା ନଦେଲେ ଖବର ପ୍ରସାରଣ କରି ବଦନାମ କରିବାର ଧମକ ଦେଇ ବ୍ଲାକମେଲିଂ କରୁଥିବା ସେ ଅଭିଯୋଗ କରିଥିଲେ। ଏପରିକି କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିର ଅପବ୍ୟବହାର କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ ଓ ଭିଡିଓକୁ ବିକୃତ କରି ସାମାଜିକ ଗଣମାଧ୍ୟମରେ ପ୍ରଚାର କରାଯାଉଥିବା ନେଇ ମଧ୍ୟ ସେ ଉଦ୍‌ବେଗ ପ୍ରକାଶ କରିଥିଲେ।

ଗଣତନ୍ତ୍ରରେ ସରକାରଙ୍କୁ ସମାଲୋଚନା କରିବା ଏବଂ ପ୍ରଗତିଶୀଳ ପରାମର୍ଶ ଦେବା ଗଣମାଧ୍ୟମର ମୁଖ୍ୟ କର୍ତ୍ତବ୍ୟ। କିନ୍ତୁ କିଛି ଅସାଧୁ ବ୍ୟକ୍ତି ସାମ୍ବାଦିକତାର ପରିଚୟ ଦେଇ ଏହାର ଦୁରୁପଯୋଗ କରୁଥିବାରୁ ପ୍ରକୃତ ସାମ୍ବାଦିକଙ୍କ ସମ୍ମାନ ଓ ଗଣମାଧ୍ୟମର ବିଶ୍ୱସନୀୟତା କ୍ଷୁଣ୍ଣ ହେଉଛି ବୋଲି ସେ ମତ ରଖିଥିଲେ । ଏଭଳି ନକଲି ମିଡିଆ ସଂସ୍ଥା ଓ ବଟି ଆଦାୟକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ବାଚସ୍ପତି ଏ ନେଇ ରୁଲିଂ ଦିଅନ୍ତୁ ବୋଲି ବିଧାୟକ ସନାତନ ବିଜୁଳି ଦାବି କରିଥିଲେ ।

Exit mobile version