ଆଇପିଏଏଫ୍‌ର ପଞ୍ଚମ ସଂସ୍କରଣରେ ଭାରତୀୟ କଳା ଓ ସଂସ୍କୃତିର ଭବ୍ୟ ପ୍ରଦର୍ଶନ

ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଭାରତୀୟ କଳା ଓ ସଂସ୍କୃତିର ଭବ୍ୟ ଉତ୍ସବ ଭାବେ ଇଣ୍ଟରନ୍ୟାସନାଲ୍‌ ପରଫର୍ମିଂ ଆର୍ଟସ୍‌ ଫେଷ୍ଟିଭାଲ୍‌ (ଆଇପିଏଏଫ୍‌)ର ପଞ୍ଚମ ସଂସ୍କରଣ ପୁରୀ ଟାଉନ୍‌ ହଲ୍‌ରେ ସଫଳତାର ସହ ଆୟୋଜିତ ହୋଇଯାଇଛି l ଏହି ଉତ୍ସବରେ ବିଶିଷ୍ଟ ଶାସ୍ତ୍ରୀୟ କଳାକାର, ଯୁବ ପ୍ରତିଭା, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିଳ୍ପୀ ଓ କଳାପ୍ରେମୀ ଯୋଗଦେଇଥିଲେ  । କାର୍ଯ୍ୟକ୍ରମର ଆରମ୍ଭରେ ଉସ୍ତାଦ ଜୋହର ଅଲ୍ଲୀ ଖାନ୍‌ ଓ ସାଥୀମାନେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଭାୟୋଲିନ୍‌ ବାଦନ ପରିବେଷଣ କରିଥିଲେ। ରାଗ କିରବାଣୀ, ରୂପକ ତାଳ ଓ ଯୁଗଳବନ୍ଦୀର ମଧୁର ମୂର୍ଚ୍ଛନା ଦର୍ଶକଙ୍କୁ ବିଭୋର କରିଥିଲା ।

ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କ ନୃତ୍ୟ ପରିବେଷଣ। ସେ ମଙ୍ଗଳାଚରଣରେ ବିଷ୍ଣୁ ବନ୍ଦନା ଏବଂ ଓଡ଼ିଆ ଅଭିନୟରେ ‘କେଡ଼େ ଛନ୍ଦ’ ପରିବେଷଣ କରି ଓଡ଼ିଶୀ ନୃତ୍ୟର ଆଧ୍ୟାତ୍ମିକ ଭାବ, ଅଭିବ୍ୟକ୍ତି ଓ ନୃତ୍ୟଶୈଳୀର ଅନନ୍ୟ ଝଲକ ଦେଖାଇଥିଲେ। ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନେକ ସମ୍ମାନରେ ସମ୍ମାନିତ । ଏହାପରେ ପ୍ରେରଣା ଭୂୟାଁ ସାତ୍ରୀୟା ନୃତ୍ୟରେ ‘ଈଶା ବନ୍ଦନା’, ‘କୃଷ୍ଣ କଥା’ ଓ ‘ରାମ ବନ୍ଦନା’ ପରିବେଷଣ କରିଥିଲେ। ନୃତ୍ୟ ଓ ଅଭିନୟ ମାଧ୍ୟମରେ ସେ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ଦିବ୍ୟ କାହାଣୀକୁ ଜୀବନ୍ତ କରିଥିଲେ ।

ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୩ ଜଣ ଶିଳ୍ପୀ ଅମିତ ଚାଟାର୍ଜୀଙ୍କ ନୃତ୍ୟ ସଂଯୋଜନାରେ ‘ବନ୍ଦେ ମାତରମ୍‌’ ଓ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ଭଗବତୀ ବିଦ୍ୟା ନିକେତନର ୩୦ ଜଣ ଛାତ୍ରଛାତ୍ରୀ ମା’ କାଳୀଙ୍କ ଉପରେ ଆଧାରିତ ଅର୍ଦ୍ଧ-ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ବିନାୟକ ବିଦ୍ୟାମନ୍ଦିରର ୨୦ ଜଣ ଶିଳ୍ପୀ ‘ମୁଁ ତୋ ଯଶୋଦା… ମୁଁ ତୋ କୈକେୟୀ’ ନୃତ୍ୟ ମାଧ୍ୟମରେ ମା’ ଯଶୋଦା ଓ ମା’ କୈକେୟୀଙ୍କ ସ୍ନେହ ଓ ଭକ୍ତିକୁ ଉପସ୍ଥାପନ କରିଥିଲେ । ଏବିସି ପ୍ଲେ ସ୍କୁଲ୍‌ ଓ ଶ୍ରୀକଳା ନିକେତନର କୁନି କୁନି ଶିଳ୍ପୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ ।

ସାମାଜିକ ଉଦ୍ୟୋଗୀ ତଥା ଆଇପିଏଏଫ୍‌ର ପ୍ରତିଷ୍ଠାତା-ନିର୍ଦ୍ଦେଶକ ଶ୍ୟାମ ପାଣ୍ଡେଙ୍କ ପ୍ରୟାସରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । ପାରମ୍ପରିକ କଳାର ସଂରକ୍ଷଣ, ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହନ ଓ ଦେଶର ବିଭିନ୍ନ ଅଞ୍ଚଳର କଳାକାରଙ୍କୁ ମଞ୍ଚ ପ୍ରଦାନ କରିବା ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ । ଆଇପିଏଏଫର ପ୍ରତିଷ୍ଠାତା ଶ୍ୟାମ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଦ୍ୟାପତି ପାଣ୍ଡେ, ଅରବିନ୍ଦ ଶତପଥୀ, ବିକାଶ ଦତ୍ତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପିୟୁଷ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଉତ୍ସବ ଭାରତର ବିବିଧ ପାରମ୍ପରିକ କଳା ଓ ନୃତ୍ୟ-ସଙ୍ଗୀତକୁ ପ୍ରୋତ୍ସାହିତ କରିବା ସହ ଆଗାମୀ ପିଢ଼ି ମଧ୍ୟରେ ସାଂସ୍କୃତିକ ଐତିହ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାର ବାର୍ତ୍ତା ଦେଇଛି ।

Exit mobile version