ଶିଖରପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ସହ ଖାଲି ପଡିଥିବା ଶିକ୍ଷକ ପଦବୀ ପୁରଣ ଦାବିରେ ମୁଖ୍ଯ ଫାଟକରେ ତାଲା ଝୁଲାଇ ଛାତ୍ରଛାତ୍ରୀଙ୍କ ହରତାଳ ଓ ଧାରଣା

ଖଣ୍ଡପଡ଼ା (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଖଣ୍ଡପଡ଼ା ବ୍ଲକ ଅଧୀନ ଶିଖରପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଦ୍ୟାଳୟ ମୁଖ୍ଯ ଫାଟକରେ ତାଲା ଝୁଲାଇ ଶୁକ୍ରବାର ହରତାଳ କରିଥିବା ବେଳେ ଆସନ୍ତାକାଲି ଶନିବାର ସକାଳେ ଶିଖରପୁର ଛକରେ ଖଣ୍ଡପଡ଼ାରୁ ନୟାଗଡକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।ଛାତ୍ରଛାତ୍ରୀଙ୍କ ଅଭିଯୋଗ ଯେ ଦିର୍ଘ ମାସ ଧରି ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଏଠାରେ କାର୍ଯ୍ଯରତ ୪ ଜଣ ସହକାରୀ ଶିକ୍ଷକଙ୍କର ଅନ୍ଯତ୍ର ବଦଳି ସତ୍ତ୍ବେ ତାଙ୍କ ସ୍ଥାନରେ ଆଉ କାହାରିକୁ ଏଠାକୁ ନିଯୁକ୍ତି ଦିଆ ଯାଇ ନଥିବା ଅଭିଯୋଗ ହେଉଛି।ଫଳରେ ଶିକ୍ଷକ ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି।

ଏ ସଂର୍ପକରେ ଖଣ୍ଡପଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରୁ ଆରମ୍ଭ କରି ନୟାଗଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳି ନଥିବା ଜଣାପଡିଛି। ସେହିପରି ବିଦ୍ୟାଳୟ ପରିଚାଳନାରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସବୁ ଦେଖି କିଛି ନ ଦେଖିବା ନ୍ୟାୟରେ ନୀରବଦ୍ରଷ୍ଟା ସାଜିଥିବାରୁ ଏ ନେଇ ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି।ସେହିପରି ରାଜନୈତିକ ଇଛାଶକ୍ତିର ଅଭାବରୁ ଦିର୍ଘ ବର୍ଷ ଧରି ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇ ନଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ମୁଖ୍ଯ ଫାଟକରେ ତାଲା ଝୁଲାଇ ହରତାଳ କରୁଥିବା ସଂର୍ପକରେ ଖବରପାଇ ଖଣ୍ଡପଡା ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କର ଘଟଣାସ୍ଥଳରେ ପହଞ୍ଚି ଧାରଣାରତ ଛାତ୍ରଛାତ୍ରୀଙ୍କୁ ଦିର୍ଘ ସମୟ ଧରି ବୁଝାସୁଝା କରିଥିଲେ ହେଁ ବିଦ୍ୟାଳୟରେ ତୁରନ୍ତ ସ୍ଥାୟୀ ଭାବେ ଜଣେ ପ୍ରଧାନଶିକ୍ଷକଙ୍କୁ ନିଯୁକ୍ତି ଦେବା ସହ ଖାଲି ପଡିଥିବା ଅନ୍ଯାନ୍ଯ ଶିକ୍ଷକ ପଦବୀ ଗୁଡିକ ତୁରନ୍ତ ପୂରଣ ଦାବିରେ ଧାରଣାରତ ଛାତ୍ରଛାତ୍ରୀମାନେ ଅଟଳ ଥିବା ଜଣାପଡିଛି।ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଶିଖରପୁର ପଞ୍ଚାୟତର ସଚେତନ ନାଗରିକ,ଯୁବକ ଓ ଅଭିଭାବକମାନେ ଧାରଣାସ୍ଥଳରେ ସାମିଲ ହୋଇଥିବା ଜଣାଯାଇଛି।ଉକ୍ତ ବିଦ୍ୟାଳୟ ସମସ୍ୟାର ସମାଧାନ ଦିଗରେ ନୟାଗଡ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି । 

Exit mobile version