ପରମ୍ପରାର ରଙ୍ଗରେ ଗୋଣ୍ଡ ଚିତ୍ରକଳା : ତିନିଦିନିଆ କର୍ମଶାଳା ଉଦ୍‌ଯାପିତ, ଛାତ୍ରୀଙ୍କ କଳାକୃତି ପ୍ରଦର୍ଶିତ

ବ୍ରହ୍ମପୁର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଗୃହ ବିଜ୍ଞାନ ବିଭାଗ ପକ୍ଷରୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ ପାରମ୍ପରିକ ଆଦିବାସୀ ଚିତ୍ରକଳା ‘ଗୋଣ୍ଡ ଆର୍ଟ’ ଉପରେ ଏକ ତିନିଦିନିଆ କର୍ମଶାଳା ୨୫ ନଭେମ୍ବରରୁ ୨୭ ନଭେମ୍ବର ପର୍ଯ୍ୟନ୍ତ। ଆୟୋଜିତ ହୋଇଥିଲା। ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଗୋଣ୍ଡ ଚିତ୍ରକଳାର ସମୃଦ୍ଧ ପାରମ୍ପରିକ ଐତିହ୍ୟ ସହ ପରିଚିତ କରାଇବା ସହ ଏହାର ବିଭିନ୍ନ କଳାତ୍ମକ କୌଶଳ ଓ ଶୈଳୀ ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା l ବିଶ୍ୱବିଦ୍ୟାଳୟର ମାନନୀୟା କୁଳପତି ପ୍ରଫେସର ଅସୀମା ସାହୁଙ୍କ ଦିଗ୍‌ଦର୍ଶନ, ପ୍ରେରଣା ଓ ମାର୍ଗଦର୍ଶନରେ ଏହି କର୍ମଶାଳାର ସମସ୍ତ ଆୟୋଜନ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

ତାଙ୍କର ଉତ୍ସାହ ଓ ସହଯୋଗ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲା। ଏହି ତିନିଦିନିଆ କର୍ମଶାଳାର ସଂଯୋଜିକା ଭାବେ ଶ୍ରୀମତୀ ଅଲିତା ମିଞ୍ଜ ଦାୟିତ୍ୱ ତୁଲାଇଥିବା ବେଳେ ମାନସୀ ମେହେର ଓ ଅଶ୍ମିତା ବେଉରା ଆୟୋଜନ ସଚିବ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ। ପ୍ରଥମ ଦିନରେ ଛାତ୍ରୀମାନଙ୍କୁ ଗୋଣ୍ଡ ଚିତ୍ରକଳାର ମୌଳିକ ଜ୍ଞାନ, ଏହାର ଉତ୍ପତ୍ତି, ପାରମ୍ପରିକ ମହତ୍ତ୍ୱ, ବିଭିନ୍ନ ଚିତ୍ରରୂପ ଓ ସ୍ୱତନ୍ତ୍ର ଚିତ୍ରାଙ୍କନ ଶୈଳୀ ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଆଦିବାସୀ କଳାର ସାଂସ୍କୃତିକ ଗୁରୁତ୍ୱ ଓ ସ୍ୱତନ୍ତ୍ରତା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଦ୍ୱିତୀୟ ଦିନରେ ରଙ୍ଗ ମିଶ୍ରଣ, ଉପଯୁକ୍ତ ରଙ୍ଗର ଚୟନ ଓ ବିଭିନ୍ନ ଆକର୍ଷଣୀୟ ନକ୍ସା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଛାତ୍ରୀମାନେ ବିଭିନ୍ନ ଅଙ୍କିତ ଚିତ୍ରରେ ରଙ୍ଗ ଭରିବା ସହ ବିନ୍ଦୁ, ରେଖା ଓ ବିଭିନ୍ନ ସାଜସଜ୍ଜା ନକ୍ସା ମାଧ୍ୟମରେ ଗୋଣ୍ଡ ଚିତ୍ରକଳାର ଶୈଳୀକୁ ଅଭ୍ୟାସ କରିଥିଲେ। ତୃତୀୟ ଦିନର ପ୍ରଥମାର୍ଦ୍ଧରେ ଛାତ୍ରୀମାନେ କାନଭାସ୍‌ରେ ନିଜ ନିଜର କଳାତ୍ମକ ଭାବନାକୁ ରୂପ ଦେଇଥିଲେ। ପୂର୍ବ ଦୁଇଦିନରେ ଶିଖିଥିବା କୌଶଳ ଓ ନକ୍ସାକୁ ବ୍ୟବହାର କରି ସେମାନେ ଆକର୍ଷଣୀୟ ଗୋଣ୍ଡ ଶୈଳୀର ଚିତ୍ର ପ୍ରସ୍ତୁତ କରିଥିଲେ। ତୃତୀୟ ଦିନର ଦ୍ୱିତୀୟାର୍ଦ୍ଧରେ ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତିର ଏକ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିରେ ସେମାନେ ନିଜର ସୃଜନଶୀଳତା, କଳାତ୍ମକ ଦକ୍ଷତା ଓ କର୍ମଶାଳାରୁ ହାସଲ କରିଥିବା ଜ୍ଞାନକୁ ପ୍ରଦର୍ଶିତ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ,

ଟାଟା ସୃଜନିକାର ପ୍ରତିନିଧିବୃନ୍ଦ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର ୟୁନିଟ୍ ଲିଡ୍ ଡ. ଜୟନ୍ତ କୁମାର ତ୍ରିପାଠୀ ଯୋଗଦେଇଥିଲେ। ଅତିଥିମାନେ ଛାତ୍ରୀଙ୍କ ସୃଜନଶୀଳତା ଓ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଶିକ୍ଷା ଓ ସୃଜନଶୀଳ କାର୍ଯ୍ୟକ୍ରମ ମାଧ୍ୟମରେ ପାରମ୍ପରିକ କଳାର ସଂରକ୍ଷଣ, ପ୍ରଚାର ଓ ପ୍ରସାର ଦିଗରେ ଯୁବପିଢ଼ିଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କର୍ମଶାଳା ଛାତ୍ରୀମାନଙ୍କ ପାଇଁ ଅନୁଭୂତିଭିତ୍ତିକ ଶିକ୍ଷା, ସାଂସ୍କୃତିକ ସଚେତନତା ଓ ସୃଜନଶୀଳତାର ଏକ ଉତ୍ତମ ମାଧ୍ୟମ ହୋଇପାରିଥିଲା। ଏହା କେବଳ ଏକ ପାରମ୍ପରିକ ଭାରତୀୟ ଚିତ୍ରକଳା ସହ ଛାତ୍ରଛାତ୍ରୀଙ୍କୁ ପରିଚିତ କରାଇନଥିଲା, ବରଂ ଆମର ଅମୂଲ୍ୟ ଲୋକକଳା ଓ ଆଦିବାସୀ କଳା ଐତିହ୍ୟକୁ ସଂରକ୍ଷଣ କରି ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ବାର୍ତ୍ତା ମଧ୍ୟ ପ୍ରଦାନ କରିଥିଲା। କର୍ମଶାଳାର ସଫଳ ଆୟୋଜନ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ପ୍ରଶିକ୍ଷକ, ବିଭାଗୀୟ ଅଧ୍ୟାପିକା ଓ ଛାତ୍ରୀଙ୍କ ସମୂହ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା।

Exit mobile version