ମୁକ୍ତାକାଶ କାରାଗାରରେ ଦୁର୍ନୀତି ଅଭିଯୋଗ, ଜେଲ୍ ଜମାଦାରଙ୍କ ମେଣ୍ଢାଶାଳ ବଜାରରେ ଗ୍ରୋସରୀ ଦୋକାନ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଭୁବନେଶ୍ୱର ଉପକଣ୍ଠ ଜାମୁଝରୀଠାରେ ଥିବା ରାଜ୍ୟର ଏକମାତ୍ର ମୁକ୍ତାକାଶ କାରାଗାର ‘ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଗାର’ରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି । କାରାଗାରର ଦାୟିତ୍ୱରେ ଥିବା ଜେଲର ଓ ଜମାଦାରଙ୍କ ସମ୍ପୃକ୍ତିରେ ସରକାରୀ ଅର୍ଥ ଲୁଟ୍ ହେଉଥିବା ନେଇ ଅଭିଯୋଗ ଉଠିଛି । କାରାଗାରରେ ଥିବା ଅନ୍ତେବାସୀଙ୍କ ଖାଦ୍ୟ ପାଇଁ ଆବଶ୍ୟକ ଗ୍ରୋସରୀ ସାମଗ୍ରୀ କିଣା ନାମରେ ଏଠାରେ ବଡ଼ ଧରଣର ଜାଲିଆତି ଚାଲିଥିବା କୁହାଯାଉଛି । ଜେଲର ଦାୟିତ୍ୱରେ ଥିବା ଜମାଦାର ଟି. ପାଲ୍ ଜେଲ୍‌ରେ ରହିବା ପରିବର୍ତ୍ତେ ପ୍ରାୟ ୧ କିଲୋମିଟର ଦୂର ମେଣ୍ଢାଶାଳ ବଜାରରେ ଏକ ଗ୍ରୋସରୀ ଦୋକାନ ଖୋଲିଥିବା ଅଭିଯୋଗ ହୋଇଛି । ଜେଲ୍ ପାଇଁ ଆବଶ୍ୟକ ଗ୍ରୋସରୀ ସାମଗ୍ରୀ ଏହି ଦୋକାନରୁ କିଣାଯାଉଥିବା ବେଳେ ଅନ୍ୟ ସ୍ଥାନର ବିଲ୍ ଦେଇ ଗୃହ ବିଭାଗକୁ ଚୂନ ଲଗାଯାଉଥିବା ଅଭିଯୋଗ ଆସିଛି ।

ପ୍ରତି ମାସରେ ଲକ୍ଷାଧିକ ଟଙ୍କାର ଗ୍ରୋସରୀ ସାମଗ୍ରୀ ଏହି ଦୋକାନରୁ କିଣାଯାଉଥିବା ଏବଂ ଏଥିରେ ଜେଲର ଓ ଜମାଦାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଅଭିଯୋଗ ହୋଇଛି । ସରକାରୀ ଚାକିରିରେ ଥାଇ ଡ୍ୟୁଟି ନକରି ଜମାଦାର ନିଜେ ଦୋକାନରେ ବସି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ଏପରିକି ନିମ୍ନମାନର ଗ୍ରୋସରୀ ସାମଗ୍ରୀ ଜେଲ୍‌କୁ ଯୋଗାଣ କରାଯାଉଥିବାରୁ ଅନ୍ତେବାସୀମାନେ ଅଧିକାଂଶ ସମୟରେ ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ସହ ଜେଲ୍‌ରେ ହେଉଥିବା ସାମଗ୍ରୀ କିଣାବିକାର ହିସାବ ଯାଞ୍ଚ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ହେଲେ ସରକାରୀ ଅର୍ଥ ହଡ଼ପ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ।

Exit mobile version