ରାୟଗଡ ବ୍ଲକ ସେବକପୁର ପର୍ଶୁରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ଅବସରରେ ‘ବିକଶିତ ଭାରତ ଯୁବ ସଂବାଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି:(ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ସମ୍ବିଧାନ ଦିବସ ଅବସରରେ ମେରା ଯୁବା ଭାରତ ଗଜପତି ପକ୍ଷରୁ ରାୟଗଡ଼ା ବ୍ଲକ୍‌ର ସେବକପୁରସ୍ଥିତ ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ବିକଶିତ ଭାରତ ଯୁବ ସଂବାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସ୍ବାସ୍ଥ୍ଯ ଅଧିକାରୀ ଡାକ୍ତର ତୁଫାନ ନାୟକ, ଡିଇଏମଓ ଶ୍ରୀମତୀ ରଶ୍ମିତା କୁମାରୀ ପାତ୍ର ଏବଂ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇଥିଲେ । ଏଥିସହ ଯୁବ ଆଇକନ୍ ଶ୍ରୀ ବରେଣ୍ୟ ରଇତା ମଧ୍ୟ ଉପସ୍ଥିତ ରହିଥିଲେ ।

କାର୍ଯ୍ୟକ୍ରମର ଶୁଭାରମ୍ଭ ଦୀପ ପ୍ରଜ୍ୱଳନ ଓ ଅତିଥିମାନଙ୍କୁ ସ୍ୱାଗତ ସହିତ କରାଯାଇଥିଲା। ପରେ ମାଇ ଭାରତ କର୍ମଚାରୀ ଶ୍ରୀ ଭି. ଭବାନୀ ପ୍ରସାଦଙ୍କ ଦ୍ୱାରା ଅତିଥି ଓ ଯୁବ ଆଇକନ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ନିଜ ବକ୍ତବ୍ୟରେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ, ଯୁବପିଢ଼ିଙ୍କ ଦାୟିତ୍ୱ ଏବଂ ଏକ ବିକଶିତ ଭାରତ ଗଠନରେ ଯୁବସମାଜର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହାପରେ ଯୁବ ଆଇକନ୍ ଶ୍ରୀ ବରେଣ୍ୟ ରଇତା ‘ବିକଶିତ ଭାରତ @ ୨୦୪୭’ ଏବଂ ‘ନିଶାମୁକ୍ତ ଯୁବପିଢ଼ି’ ବିଷୟବସ୍ତୁ ଉପରେ ଏକ ସଚେତନତାମୂଳକ ଉପସ୍ଥାପନା ଦେଇଥିଲେ ।

ଏଥିସହ ନିଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ଏକ ସଚେତନତାମୂଳକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା । ଶେଷରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ମିଳିତ ଭାବେ ପାଠ କରି ସମ୍ବିଧାନର ମୂଳ ଆଦର୍ଶ ଓ ମୂଲ୍ୟବୋଧକୁ ସମ୍ମାନ ଜଣାଇଥିଲେ । ମାଇ ଭାରତ କର୍ମଚାରୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା । ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ଭେମୁଲୱାଡାଙ୍କ ନିର୍ଦ୍ଦେଶନାରେ ମାଇ ଭାରତ, ଗଜପତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଏ. ମହେଶ୍ୱର ରାଓ ଓ ଶ୍ରୀ ଭି. ଭବାନୀ ପ୍ରସାଦ ସହଯୋଗ କରିଥିଲେ ।

Exit mobile version