ଓଡ଼ିଶାରେ ସାଇବର ଲୁଟେରାଙ୍କ ଆତଙ୍କ, ୯ ମାସରେ ଲୁଟିନେଲେ ୩୦୫ କୋଟି

ଗତବର୍ଷର ଠକେଇ ପରିମାଣକୁ ଟପିଲା ୨୦୨୬, ଫେରିଲା ମାତ୍ର ୦.୫୫ ପ୍ରତିଶତ ଟଙ୍କା

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଓଡ଼ିଶାରେ ବଢ଼ି ଚାଲିଛି ସାଇବର ଲୁଟେରାଙ୍କ ଆତଙ୍କ। ମୋବାଇଲରେ ଗୋଟିଏ କ୍ଲିକ୍‌ରେ ଖାଲି ହୋଇଯାଉଛି ବ୍ୟାଙ୍କ ଆକାଉଣ୍ଟ। କେଉଁଠି ଅଧିକ ରୋଜଗାର ଓ ଚାକିରିର ପ୍ରଲୋଭନ, ତ ଆଉ କେଉଁଠି ଡିଜିଟାଲ୍ ଆରେଷ୍ଟର ଭୟ ଦେଖାଇ ଲୋକଙ୍କୁ ଲୁଟୁଛନ୍ତି ସାଇବର ଠକ । ଏଭଳି ବିଭିନ୍ନ କୌଶଳରେ ମାତ୍ର ୯ ମାସ ମଧ୍ୟରେ ରାଜ୍ୟବାସୀଙ୍କଠାରୁ ୩୦୫ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଅପରାଧୀ । ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୬ ଜାନୁଆରୀରୁ ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ମୋଟ ୩ ହଜାର ୬୩୦ଟି ସାଇବର ଠକେଇ ମାମଲା ପଞ୍ଜୀକୃତ ହୋଇଛି । ଗତବର୍ଷର ସମାନ ଅବଧି ତୁଳନାରେ ଏହା ୨୯ ପ୍ରତିଶତ ଅଧିକ। ଏହି ସମୟ ମଧ୍ୟରେ ଠକେଇର ପରିମାଣ ପହଞ୍ଚିଛି ୩୦୫ କୋଟି ୧୯ ଲକ୍ଷ ୬୩ ହଜାର ଟଙ୍କାରେ ।

ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ୨୦୨୫ ମସିହାରେ ସାଇବର ଠକେଇର ପରିମାଣ ୧୬୮ କୋଟି ୩୧ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ର ପ୍ରଥମ ୯ ମାସରେ ହିଁ ଏହି ରାଶିକୁ ବହୁ ପଛରେ ପକାଇ ଦେଇଛନ୍ତି ସାଇବର ଲୁଟେରା। ଅର୍ଥାତ୍ ବର୍ଷ ଶେଷ ହେବା ପୂର୍ବରୁ ଗତବର୍ଷର ଠକେଇ ପରିମାଣକୁ ଟପିଯାଇଛି । ଅନ୍ୟପଟେ ଲୁଟ୍ ଟଙ୍କା ଉଦ୍ଧାର କ୍ଷେତ୍ରରେ ପୁଲିସର ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ। ୩୦୫ କୋଟି ୧୯ ଲକ୍ଷ ଟଙ୍କାରୁ ମାତ୍ର ୧ କୋଟି ୬୯ ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି । ଯାହା ମୋଟ ଠକେଇ ରାଶିର ମାତ୍ର ୦.୫୫ ପ୍ରତିଶତ । ସେହିପରି ୨୦୨୫ରେ ୧୬୮ କୋଟି ୩୧ ଲକ୍ଷ ଟଙ୍କା ଠକେଇ ହୋଇଥିବାବେଳେ ଉଦ୍ଧାର ହୋଇଥିଲା ମାତ୍ର ୬ କୋଟି ୪୧ ଲକ୍ଷ ଟଙ୍କା ।

ସାଇବର ଅପରାଧର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର ପ୍ରତିଷ୍ଠା ପାଇଁ ୨୪୯ କୋଟି ୩୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏଥିସହ ରାଜ୍ୟରେ ୩୫ଟି ସାଇବର ଥାନା କାର୍ଯ୍ୟକ୍ଷମ ରହିଛି। ସାଇବର ଅପରାଧର ତଦନ୍ତକୁ ଅଧିକ ଦକ୍ଷ ଓ ଫଳପ୍ରଦ କରିବା ପାଇଁ ବିଶେଷଜ୍ଞଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତେବେ ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ସାଇବର ଠକେଇ ଉପରେ ଲଗାମ ଲାଗିପାରୁନାହିଁ। ଠକେଇର ପରିମାଣ ଦିନକୁ ଦିନ ବଢ଼ୁଥିବାବେଳେ ଲୁଟ୍ ଟଙ୍କା ଫେରସ୍ତ ହାର ଅତ୍ୟନ୍ତ କମ୍ ରହିବା ଚିନ୍ତା ବଢ଼ାଇଛି। ସାଇବର ଅପରାଧୀଙ୍କ ନୂଆ ନୂଆ ଜାଲରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ସହ ଲୁଟ୍ ଟଙ୍କା ଉଦ୍ଧାର କରିବା ଏବେ ପୁଲିସ ଓ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି ।

Exit mobile version