ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ତାହାର ୫ମ ବର୍ଷ ପୁରୀ ସଂସ୍କରଣ ସମ୍ପର୍କରେ ଆନନ୍ଦର ସହିତ ଘୋଷଣା କରିଛି, ଯାହା ୨୦୨୬ ନଭେମ୍ବର ୨୭ରେ ପୁରୀ ଟାଉନହଲ୍‌ଠାରେ ସଂନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ଏହି ଉତ୍ସବରେ ପ୍ରସିଦ୍ଧ କଳାକାର, ପୁରସ୍କାର ବିଜେତା ପ୍ରଦର୍ଶନକାରୀ ଏବଂ ସାଂସ୍କୃତିକ ଉତ୍ସାହୀ ଭାରତର ସମୃଦ୍ଧ ଓ ବିବିଧ ପ୍ରଦର୍ଶନ କଳା ପରମ୍ପରା ପ୍ରତି ଉତ୍ସର୍ଗୀକୃତ ସନ୍ଧ୍ୟା ନିମନ୍ତେ ସମବେତ ହେବେ । ଆଇପିଏଏଫ୍‌ ପ୍ରତିଷ୍ଠିତ ଏବଂ ତତ୍‌ସହିତ ଉଦୀୟମାନ କଳାକାରମାନଙ୍କ ନିମନ୍ତେ ଏକ ମଞ୍ଚ ଯୋଗାଇ ଦେଉଛି ଏବଂ ସେହି ସମୟରେ ସ୍ୱୀକୃତି ଓ ଅଭିବୃଦ୍ଧି ନିମନ୍ତେ ସୁଯୋଗଗୁଡିକ ସୃଷ୍ଟି ଦ୍ୱାରା ଭିନ୍ନକ୍ଷମ କଳାକାର ଓ ବଞ୍ଚିତ ଗୋଷ୍ଠୀଗୁଡିକର ବ୍ୟକ୍ତିବିଶେଷଙ୍କୁ ସକ୍ରିୟ ସମର୍ଥନ ଯୋଗାଇ ଦେଉଛି । ବିଗତ ବର୍ଷଗୁଡିକରେ ଆଇପିଏଏଫ୍‌ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଗୁଆହାଟୀ, ନାଗପୁର, ଲକ୍ଷ୍ନୋ÷, ବାରଣାସୀ, ଶିଲଂ, ରାୟପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ, ଲେହ, ତ୍ରିଭାନ୍ଦ୍ରମ, ଡେରାଡୁନ, ଜମ୍ମୁ, ଜୟପୁର, ବେଙ୍ଗାଲୁରୁ, ହାଇଦରାବାଦ, ପୁରୀ, ଗୋଆ ଏବଂ ଚେନ୍ନଇ ଆଦି ରାଜ୍ୟ ରାଜଧାନୀ ଏବଂ ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ସହରଗୁଡିକରେ ଉତ୍ସବମାନ ଆୟୋଜନ କରିସାରିଛି ।

ପଞ୍ଚମ ବର୍ଷ ପୁରୀ ସଂସ୍କରଣରେ ଖ୍ୟାତିସମ୍ପନ୍ନ କଳାକାର ଓ ହୃଦୟସ୍ପର୍ଶୀ ପ୍ରଦର୍ଶନଗୁଡିକ ଦେଖିବାକୁ ମିଳିବ, ଯାହା ଭାରତର ବିବିଧ ଶାସ୍ତ୍ରୀୟ ଓ ଲୋକ କଳା ପ୍ରଦର୍ଶନ ପରମ୍ପରାକୁ ପ୍ରତିନିଧିତ୍ୱ କରୁଛି । ଉସ୍ତାଦ୍‌ ଜୋହର ଅଲୀ ଖାଁ ଏବଂ ତାଙ୍କ ଗ୍ରୁପ୍‌ ଦ୍ୱାରା ଏକ ଅନନ୍ୟ ଭାଓଲିନ୍‌ ବାଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଭାରତୀୟ ଆତ୍ମବିଭୋର ମୂର୍ଚ୍ଛନା, ସାଂଗୀତିକ ଉକ୍ରର୍ଷ ଏବଂ ଦର୍ଶକଙ୍କୁ ବାନ୍ଧି ରଖିବା ଭଳି ଅଭିବ୍ୟକ୍ତି ଜରିଆରେ ଶାସ୍ତ୍ରୀୟ ସଂଗୀତର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରିବ । ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟପ୍ରବୀଣା ଏବଂ ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ସୁଜାତା ମହାପାତ୍ରଙ୍କ ଦ୍ୱାରା ଏକ ମନୋରମ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତାଙ୍କର ଉପସ୍ଥାପନା ମାଧୁର୍ଯ୍ୟ, ଅଭିବ୍ୟକ୍ତକାରୀ ଅଙ୍ଗଭଙ୍ଗୀ, ନିଖୁଣ ପଦଚାଳନା ଏବଂ ଓଡ଼ିଶାର ଶାସ୍ତ୍ରୀ ନୃତ୍ୟ ଐତିହ୍ୟର ସମୃଦ୍ଧ ପରମ୍ପରାକୁ ପ୍ରଦର୍ଶିତ କରିବ । ବିଶିଷ୍ଟ କଳାକାର ପ୍ରେରଣା ଭୂୟାଁଙ୍କ ଦ୍ୱାରା ଏକ ସମ୍ମୋହନକାରୀ ସାତ୍ତ୍ରିୟା ନୃତ୍ୟ ଉପସ୍ଥାପନା ରହିଛି, ଯାହା ଭକ୍ତିପୂର୍ଣ୍ଣ ଅଭିବ୍ୟକ୍ତି, ସୁନ୍ଦର ଗତି ଏବଂ ଆସାମାର ଶାସ୍ତ୍ରୀୟ ନୃତ୍ୟକଳାର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରିବ । ସୁପ୍ରସିଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର (ଏସ୍‌ଏସ୍‌ଭିଏମ୍‌) ଗ୍ରୁପ୍‌ ଦ୍ୱାରା ଭାରତର ଲୋକ କଳା ଐତିହ୍ୟର ଜୀବନ୍ତତା, ପରମ୍ପରା ଏବଂ ସାଂସ୍କୃତିକ ବିବିଧତାକୁ ଉତ୍ସାହର ସହିତ ପାଳନ କରିବ ।

୫ମ ବର୍ଷ ପୁରୀ ସଂସ୍କରଣ ଭାରତର କଳାତ୍ମକ ଉତ୍କର୍ଷ, ପରମ୍ପରାଗତ ଐତିହ୍ୟ ଏବଂ ବିବିଧ ପ୍ରଦଶର୍ନ କଳାକୁ ପାଳନ କରୁଥିବା ଏକ ସମୃଦ୍ଧ ସାଂସ୍କୃତିକ ସନ୍ଧ୍ୟା ହେବା ନିମନ୍ତେ ପ୍ରତିବଦ୍ଧତା ରଖୁଛି । ଏହି ଉତ୍ସବ ବିଶିଷ୍ଟ କଳାକାର, ସାଂସ୍କୃତିକ ନେତୃବୃନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏବଂ ଛାତ୍ର ଛାତ୍ରୀ ତଥା ଦର୍ଶକଙ୍କୁ କଳାତ୍ମକ ଉତ୍କର୍ଷ, ସାଂସ୍କୃତିକ ବିନିମୟ ଏବଂ ସୃଜନଶୀଳ ସହଯୋଗୀତାର ଗୋଟିଏ ମଞ୍ଚରେ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । ଏଥିରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ, ଓଡ଼ିଶୀ, ସାତ୍ତ୍ରିୟା ଏବଂ ଲୋକ ନୃତ୍ୟ ଆଦି ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଥିବାବେଳେ ଏହା ଦର୍ଶକମାନଙ୍କୁ ଗୋଟିଏ ଛାତ ତଳେ ଭାରତର ସାଂସ୍କୃତିକ ପରମ୍ପରାର ସମୃଦ୍ଧତା ଅନୁଭବ କରିବାକୁ ଏକ ସୁଯୋଗ ଯୋଗାଇଦେବ । ଏହି ଉତ୍ସବରେ ପ୍ରଦର୍ଶନ କଳାପ୍ରେମୀ, ସାଂସ୍କୃତିକ ପ୍ରେମୀ, ବିଶିଷ୍ଟ ଅତିଥିବୃନ୍ଦ, ବିଶିଷ୍ଟ ବ୍ୟକ୍ତିବିଶେଷ ଏବଂ କର୍ପୋରେଟ ଜଗତର ପ୍ରତିନିଧିଗଣଙ୍କର ଉପସ୍ଥିତି ଆଶା କରାଯାଉଛି ।

Exit mobile version