ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମଜୟନ୍ତୀ


ଭୁବନେଶ୍ବର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ଭୁବନେଶ୍ବର ସାଇ ଜିଲାର ସାଇ ଜନଜନୀଠାରେ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାତଃ ନଗର ସଂକୀର୍ତ୍ତନ, ମଙ୍ଗଳବାଦ୍ୟ ପରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା । ଏହି ଅବସରରେ ରେଡକ୍ରସ ରକ୍ତଭଣ୍ଡାର ସହଯୋଗରେ ଏକ ରକ୍ତଦାନ ଶିବିର ଏବଂ ମୁଖ ଓ ଦନ୍ତ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର କରାଯାଇଥିଲା ।

ସଙ୍ଗଠନ ତରଫରୁ ସମସ୍ତ ରୋଗୀଙ୍କ ଆରୋଗ୍ୟ କାମନା କରାଯା‌ଇ କ୍ୟାପିଟାଲ ହସ୍ପିଟାଲ, ହାଇଟେକ ହସ୍ପିଟାଲ, ବିଏମ୍‌ସି ହସ୍ପିଟାଲ, ସମେତ ବିଭିନ୍ନ ହସ୍ପିଟାଲ‌େର ଫଳ ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ସତ୍ୟସାଇ ନାମାର୍ଚ୍ଚନା ,ବେଦଧ୍ବନି, ଭଜନ ସହିତ ସତ୍ୟସାଇ ହାଇସ୍କୁଲ ପିଲାମାନଙ୍କ ଦ୍ବାରା ଜନ୍ମଦିନ କେକେ କଟାଯାଇ ବଣ୍ଟନ କରାଯାଇଥିଲା । ମଧ୍ୟାହ୍ନରେ ସମସ୍ତ ଭକ୍ତ ଓ ସାଇ ଆଶ୍ରିତଙ୍କ ସମେତ ସାଧାରଣ ଲୋକ ପ୍ରସାଦ ସେବନ କରିଥିଲେ ।

୧୦୧ ନାରାୟଣଙ୍କୁ ଅନ୍ନପ୍ରସାଦ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା । ସ୍ଥାନୀୟ କର୍ପୋରେଟରଙ୍କ ଦ୍ଵାରା ଜନ୍ମଦିନ ସ୍ମାରକୀ ଚାରା ରୋପଣ କରାଯାଇଥିଲା । ସ୍ଥାନୀୟ ବିଧାୟକ ଓ ବହୁବିଶିଷ୍ଟ ବ୍ୟକ୍ତି କାର୍ଯକ୍ରମରେ ଉପସ୍ଥିତ ଥିଲେ । ଭୁବନେଶ୍ବର ସାଇ ଜିଲ୍ଲା ଅନ୍ତର୍ଗତ ସମସ୍ତ ୬ଟି ସମିତି ରେ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇ , ସମସ୍ତ ଭଜନ ମଣ୍ଡଳୀ ଓ ପୋଷ୍ୟ ଗ୍ରାମ ମାନଙ୍କରେ ଭଗବାନ୍ ଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି.

ସାନ୍ଧ୍ୟ କାର୍ଯ୍ୟକ୍ରମରେ ଦୀପ ପ୍ରଜ୍ଜ୍ଵଳନ ଓ ବେଦ ପାଠ କରାଯାଇ ଭଜନ ,ସତସଙ୍ଗ , ଭଗବାନ୍ ଙ୍କ ଦିବ୍ୟ ସମ୍ଭାଷଣର ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା, ଜନ୍ମଦିନ କେକ୍ କଟାଯାଇ ସମସ୍ତଙ୍କ ବଣ୍ଟନ କରାଯାଇଥିଲା । ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ମଙ୍ଗଳ ଆଳତି ଏବଂ ଦିବ୍ୟ ଦର୍ଶନ ସହିତ ଜନ୍ମଦିନ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।   

Exit mobile version