ଉତ୍ସାହପୂର୍ଣ୍ଣ ଦର୍ଶକଙ୍କ ଉପସ୍ଥିତି ଓ ଶାସ୍ତ୍ରୀୟ ସଙ୍ଗୀତର ମଧୁର ମୂର୍ଚ୍ଛନା ମଧ୍ୟରେ ଉଦ୍‌ଯାପିତ ହେଲା ‘ରାଗୋତ୍ସବ-୨୦୨୬’

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଆୟୋଜିତ ତିନିଦିନିଆ ବାର୍ଷିକ ଶାସ୍ତ୍ରୀୟ ସଙ୍ଗୀତ ମହୋତ୍ସବ ‘ରାଗୋତ୍ସବ-୨୦୨୬’ ରବିବାର ସନ୍ଧ୍ୟାରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ସଙ୍ଗୀତପ୍ରେମୀଙ୍କ ବିପୁଳ ଉପସ୍ଥିତିରେ ପ୍ରାୟ ପୂର୍ଣ୍ଣ ହୋଇଉଠିଥିଲା ରବୀନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟ। ଶାସ୍ତ୍ରୀୟ ସଙ୍ଗୀତର ମନୋମୁଗ୍ଧକର ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଉଦ୍‌ଯାପନୀ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଏକ ଆକର୍ଷଣୀୟ ବାଦ୍ୟ ସମ୍ମିଳନୀ ପରିବେଷିତ ହୋଇଥିଲା । ଏଥିରେ ଶ୍ରୀ ସଚ୍ଚିଦାନନ୍ଦ ଦାସ ମର୍ଦ୍ଦଳ, ଶ୍ରୀ କୁଳମଣି ସାହୁ ତବଲା, ଶ୍ରୀ ଅରୂପ ଦାସ ମର୍ଦ୍ଦଳ, ଶ୍ରୀ ନିର୍ମଲ୍ୟ ଶଙ୍କର ସ୍ୱାଇଁ ତବଲା ଏବଂ ଶ୍ରୀ ମୁରଲୀଧର ସ୍ୱାଇଁ ହାରମୋନିୟମରେ ସହଯୋଗ କରିଥିଲେ । ଏହି ସମ୍ମିଳିତ ବାଦ୍ୟ ପରିବେଷଣରେ ଭାରତୀୟ ତାଳବାଦ୍ୟ ପରମ୍ପରାର ବିବିଧତା ଓ ସମୃଦ୍ଧି ପ୍ରତିଫଳିତ ହୋଇଥିଲା ।

ଏହାପରେ ପଣ୍ଡିତ ତୁଷାର ଦତ୍ତଙ୍କ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ପରିବେଷଣ ଉତ୍ସବର ଅନ୍ତିମ ଆକର୍ଷଣ ପାଲଟିଥିଲା । ତାଙ୍କୁ ତବଲାରେ ଶ୍ରୀ ପିନାକୀ ଚକ୍ରବର୍ତ୍ତୀ ଏବଂ ହାରମୋନିୟମରେ ଶ୍ରୀ ସୁବ୍ରତ ଭଟ୍ଟାଚାର୍ଯ୍ୟ ସହଯୋଗ କରିଥିଲେ । ତାଙ୍କର ମନଛୁଆଁ ସଙ୍ଗୀତ ପରିବେଷଣକୁ ଉପସ୍ଥିତ ଶ୍ରୋତାମାନେ ଭରପୂର ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଭାପତି ଡ. ଅରବିନ୍ଦ ବେହେରା, ଆଇଏଏସ୍ (ଅବସରପ୍ରାପ୍ତ), ପୂର୍ବତନ ସଦସ୍ୟ,

ରାଜସ୍ୱ ପର୍ଷଦ, ଓଡ଼ିଶା; ଉପସଭାପତି ଶ୍ରୀ ରାଜିନ୍ଦର ସିଂହ; ସାଧାରଣ ସମ୍ପାଦକ ଶ୍ରୀ କ୍ଷୀରୋଦ ପଟ୍ଟନାୟକ; କୋଷାଧ୍ୟକ୍ଷ ବ୍ରିଗେଡିୟର ଜି. ପି. ପାଣିଗ୍ରାହୀ (ଅବସରପ୍ରାପ୍ତ); ଯୁଗ୍ମ ସମ୍ପାଦିକା ଡ. ସଙ୍ଗୀତା ଗୋସାଇଁ ଏବଂ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ମୀରା ପଣ୍ଡା ଉପସ୍ଥିତ ଥିଲେ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରଚାର, ପ୍ରସାର ଓ ସଂରକ୍ଷଣ ସହିତ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତପ୍ରେମୀଙ୍କ ନିକଟରେ ପହଞ୍ଚାଇବା ଏବଂ ନୂତନ ପିଢ଼ି ମଧ୍ୟରେ ସଙ୍ଗୀତ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଭୁବନେଶ୍ୱର ମ୍ୟୁଜିକ୍ ସର୍କଲ୍‌ର ଏହି ପ୍ରୟାସ ଅବ୍ୟାହତ ରହିଛି ।

Exit mobile version