ସାଇବର ଠକେଇ ମାମଲାରେ ୧୬ ଗିରଫ, ୩ ମହିଳା ସାମିଲ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ସାଇବର ଠକେଇ ମାମଲାରେ ଭୁବନେଶ୍ୱର ଓ ପଶ୍ଚିମବଙ୍ଗ ପୋଲିସର ମିଳିତ ଚଢ଼ାଉରେ ୩ ମହିଳାଙ୍କ ସମେତ ମୋଟ ୧୬ ଜଣ ଗିରଫ ହୋଇଛନ୍ତି । ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ୧୪ ମେ ୨୦୨୫ରେ ପଶ୍ଚିମବଙ୍ଗର ରାଜରହାଟ ଅଞ୍ଚଳର ସୌମିତ୍ର ମଣ୍ଡଳଙ୍କ ମୋବାଇଲ ଫୋନ୍ ହଜିଯାଇଥିଲା । ଏହାପରେ ତାଙ୍କ ଏସ୍‌ବିଆଇ ଓ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ବିନା ଅନୁମତିରେ ୩୨ଟି ଠକେଇମୂଳକ ଆର୍ଥିକ କାରବାର ହୋଇଥିଲା । ଏନେଇ ରାଜରହାଟ ଥାନାରେ ମାମଲା ରୁଜୁ ହୋଇଥିଲା ।

ତଦନ୍ତ ଆଧାରରେ ନଭେମ୍ବର ୧୮ ଓ ୧୯ ତାରିଖ ମଧ୍ୟବର୍ତ୍ତୀ ରାତିରେ ପଶ୍ଚିମବଙ୍ଗ ପୋଲିସର ଏକ ଟିମ୍ ଭୁବନେଶ୍ୱରର ପାହାଳ ଥାନାରେ ପହଞ୍ଚି ସହଯୋଗ ଲୋଡ଼ିଥିଲା । ପରେ ପାହାଳ ଥାନା ଓ ଭୁବନେଶ୍ୱର ପୋଲିସର ସହଯୋଗରେ ମିଳିତ ଚଢ଼ାଉ କରାଯାଇ ୧୬ ଜଣଙ୍କୁ କାବୁ କରାଯାଇଥିଲା । ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପ୍ରାୟ ଏକ ମାସ ଧରି ଭୁବନେଶ୍ୱରର ଏକ ଭଡ଼ା ଘରେ ରହୁଥିଲେ । ଏହି ସାଇବର ଠକେଇ ମାମଲାରେ ସେମାନଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି ।

Exit mobile version