ସାଇବର ଠକେଇ ମାମଲାରେ ୧୬ ଜଣ ଗିରଫ


ଭୁବନେଶ୍ୱର ପୋଲିସ ଓ ପଶ୍ଚିମବଙ୍ଗ ପୋଲିସର ମିଳିତ ଚଢ଼ାଉ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :- ସାଇବର ଠକେଇ ମାମଲାରେ ଭୁବନେଶ୍ୱର ପୋଲିସ ଓ ପଶ୍ଚିମବଙ୍ଗ ପୋଲିସର ମିଳିତ ଅଭିଯାନରେ ୧୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗ ରାଜ୍ୟର ବାସିନ୍ଦା ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ୧୪ ମେ ୨୦୨୫ ତାରିଖରେ ପଶ୍ଚିମବଙ୍ଗର ରାଜରହାଟ ଥାନା ଅଞ୍ଚଳର ସୌମିତ୍ର ମଣ୍ଡଳଙ୍କ ମୋବାଇଲ ଫୋନ୍ ହଜିଯାଇଥିଲା । ଏହାପରେ ତାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରୁ ବିନା ଅନୁମତିରେ ୩୨ଟି ଠକେଇମୂଳକ ଆର୍ଥିକ କାରବାର ହୋଇଥିବା ଜଣାପଡ଼ିଥିଲା ।

ଏନେଇ ରାଜରହାଟ ଥାନାରେ ମାମଲା ରୁଜୁ ହେବା ସହ ପଶ୍ଚିମବଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାର ତଦନ୍ତ କ୍ରମରେ ନଭେମ୍ବର ୧୮ ଓ ୧୯ ତାରିଖ ମଧ୍ୟବର୍ତ୍ତୀ ରାତି ପ୍ରାୟ ୧୨ଟା ୪୫ ମିନିଟ୍‌ରେ ରାଜରହାଟ ଥାନାର ପୋଲିସ ଟିମ୍ ଭୁବନେଶ୍ୱରର ପାହାଳ ଥାନାରେ ପହଞ୍ଚିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ପୋଲିସର ସହଯୋଗ ଲୋଡ଼ିଥିଲା । ଏହାପରେ ପାହାଳ ଥାନା ଓ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା (UPD) ପକ୍ଷରୁ ପଶ୍ଚିମବଙ୍ଗ ପୋଲିସକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଇଥିଲା।

ମିଳିତ ଚଢ଼ାଉରେ ୩ ଜଣ ମହିଳାଙ୍କ ସମେତ ମୋଟ ୧୬ ଜଣଙ୍କୁ କାବୁ କରାଯାଇଥିଲା ।  ଏହି ସମସ୍ତଙ୍କର ଉକ୍ତ ସାଇବର ଠକେଇ ମାମଲାରେ ସମ୍ପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଥିବା ସୂଚନା ମିଳିଛି। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ପ୍ରାୟ ଏକ ମାସ ଧରି ଭୁବନେଶ୍ୱରର ଏକ ଭଡ଼ା ଘରେ ରହୁଥିଲେ । ଏହି ଘରର ମାଲିକଙ୍କୁ ମଧ୍ୟ ପଶ୍ଚିମବଙ୍ଗ ପୋଲିସ ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି । ପଶ୍ଚିମବଙ୍ଗ ଓ ଭୁବନେଶ୍ୱର ପୋଲିସର ମିଳିତ ଉଦ୍ୟମରେ ଏହି ସଫଳତା ମିଳିଛି ।

Exit mobile version