ସତ୍ୟ, ନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧର ପ୍ରତୀକ : ପୁରୀରେ ପାଳିତ ହେଲା ଜାତୀୟ ପ୍ରେସ ଦିବସ-୨୦୨୬

ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :-  ସମାଜର ପ୍ରକୃତ ଦର୍ପଣ ସାଜି, ପ୍ରତ୍ୟେକ ଘଟଣାକୁ ନିଜର ନିଷ୍ଠାପର ଲେଖନୀ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଥିବା ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଜାତୀୟ ପ୍ରେସ ଦିବସ’ ଚଳିତ ବର୍ଷ ପୁରୀ ଜିଲ୍ଲାରେ ଅତ୍ୟନ୍ତ ଆନନ୍ଦ, ଗୌରବ ଓ ଉତ୍ସାହର ସହ ସ୍ଥାନୀୟ ସଦଭାବନା ସଭା ଗୃହରେ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁସଂଖ୍ୟାରେ ସାମ୍ବାଦିକ ବନ୍ଧୁଗଣ ଯୋଗଦେଇଥିଲେ।

ଚଳିତ ବର୍ଷର ମୁଖ୍ୟ ଆଲୋଚନା ପ୍ରସଙ୍ଗ “ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” (JOURNALISM : POPULIST OR RESPONSIBLE) ଉପରେ ପର୍ଯ୍ୟବସିତ ଥିଲା। ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ନିଜର ସ୍ୱାଗତ ଭାଷଣରେ ସମାଜ ଗଠନରେ ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କର ନିଃସ୍ୱାର୍ଥପର ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଅବସରରେ ଓଡ଼ିଶା ଭାଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଟୀକ୍କାୟତରାୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏକ ମାର୍ଗଦର୍ଶକ ଅଭିଭାଷଣ ପ୍ରଦାନ କରିଥିଲେ। ସେ ଆଧୁନିକ ସାମ୍ବାଦିକତାର ମୂଲ୍ୟବୋଧ, ସତ୍ୟର ସନ୍ଧାନ ଏବଂ ସାମ୍ବାଦିକଙ୍କ ପ୍ରକୃତ କର୍ତ୍ତବ୍ୟବୋଧ ସମ୍ପର୍କରେ ପ୍ରେରଣାଦାୟୀ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l

ଏହି ଆଲୋଚନାରେ ଯୋଗଦାନ କରି ଉପସ୍ଥିତ ସାମ୍ବାଦିକ ବନ୍ଧୁଗଣ ନିଜର ମୂଲ୍ୟବାନ ଚିନ୍ତାଧାରା ଓ ଅଭିଜ୍ଞତା ବାଣ୍ଟିଥିଲେ। ଜାତୀୟ ପ୍ରେସ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଉକ୍ତ ପ୍ରତିଯୋଗିତାମାନଙ୍କରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାବାନ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା।

Exit mobile version