ନୂଆଦିଲ୍ଲୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜଧାନୀ ଦିଲ୍ଲୀର ହାଉସ୍ ଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରବିବାର ସାରା ଦିନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ମହକରେ ମହକି ଉଠିଥିଲା । ଦୈନିକ ‘ଅପରାହ୍ନ’ ସମ୍ବାଦପତ୍ର ,ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ତଥା ଅପରାହ୍ନ ଦିଲ୍ଲୀ ସାରସ୍ୱତ ସମ୍ଭାରର ମିଳିତ ଉଦ୍ୟମରେ ଆୟୋଜିତ ‘ଅପରାହ୍ନ ଦିଲ୍ଲୀ ଉତ୍ସବ-୨୦୨୬’ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୪୦ ଜଣ ପ୍ରତିନିଧିଙ୍କ ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ଶତାଧିକ ପ୍ରବାସୀ ଓଡ଼ିଆ ସାହିତ୍ୟିକ, କବି, ଗବେଷକ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।
ସକାଳ ୧୦ଟାରେ ଡ. ଗଗନ ଚନ୍ଦ୍ର ଦେଙ୍କ ବେଦମନ୍ତ୍ର ଓ ଜଗନ୍ନାଥଙ୍କ ସ୍ତୋତ୍ର ପାଠ ପରେ ସାରସ୍ୱତ ମହୋତ୍ସବର ଉଦ୍ଘାଟନ ସହିତ କବିତା ପିଠୋତ୍ସବ ଆରମ୍ଭ ହୋଇଥିଲା। ଏହି ଅଧିବେଶନରେ ଉଦ୍ବୋଧକ ଭାବେ ଡା. ଅନିତା ପଣ୍ଡା, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗବେଷକ ବାବାଜୀ ଚରଣ ଦାସ ଓ ସଭାପତି ଭାବେ ଦିଲ୍ଲୀ ସଂଯୋଜକ ପ୍ରହ୍ଲାଦ ସାହୁ ମଞ୍ଚ ପରିଚାଳନା କରିଥିଲେ। କୋରାପୁଟ ଜିଲ୍ଲା ସଂଯୋଜିକା ଡ. ସବିତା ଶତପଥୀଙ୍କ ସଂଯୋଜନାରେ ପ୍ରାୟ ୩୦ ଜଣ କବି ଓ କବୀମାନେ ଦେଶର ବିବିଧ ସମସ୍ଯା ତଥା ବର୍ତ୍ତମାନ ସମାଜର ଜୀବନ୍ତ ଚିତ୍ର କବିତା ମାଧ୍ଯମରେ ଉପସ୍ଥାପନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର, ବରେଣ୍ୟ ଅତିଥି ଭାବେ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବେ ଡା. ଅନିତା ପଣ୍ଡା, ଡଃ ମନୋରଞ୍ଜନ ମହାନ୍ତି , ସମାଜସେବୀ ରବି ରାୟ , ଫରିଦାବାଦ ଜଗନ୍ନାଥ ମନ୍ଦିରର ସଭାପତି ନିତ୍ଯାନନ୍ଦ ରାଉତ ଏବଂ ସଭାପତି ଭାବେ ଅପରାହ୍ନ ସମ୍ପାଦକ ବଂଶୀଧର ଯେନା ଉପସ୍ଥିତ ଥିଲେ। ଶ୍ରୀଲିପ୍ତା ପ୍ରିଣ୍ଟ ମିଡ଼ିଆର ନିର୍ଦ୍ଦେଶିକା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସଙ୍କ ଜଗନ୍ନାଥ ଭଜନ ସଭାମଣ୍ଡପକୁ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲା ।
