ବେଲପଡ଼ାରେ କନକଙ୍କ ବଡ଼ ଘୋଷଣା : କେହି ଯୋଗ୍ୟ ଲୋକ ଭତ୍ତାରୁ ବଞ୍ଚିତ ହେବେ ନାହିଁ

ବେଲପଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ବଲାଙ୍ଗିର ଜିଲ୍ଲା ବେଲପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ ଆଜି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଛି । ଏଥିରେ ପାଟଣାଗଡ଼ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଗ୍ରାମରୁ ଆସିଥିବା ହିତାଧିକାରୀଙ୍କୁ ନିଜ ହାତରେ ଭତ୍ତା ପ୍ରଦାନ କରିଥିଲେ ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ, ବେଲପଡ଼ା ପଞ୍ଚାୟତ ସମିତିରେ ମୋଟ ୧୯୪୭ ଜଣ ନୂତନ ହିତାଧିକାରୀଙ୍କ ଭତ୍ତା ମଞ୍ଜୁର ହୋଇଛି । ଚଳିତ ଅକ୍ଟୋବର ମାସରେ ୬୦ ବର୍ଷ ବୟସ ପୂରଣ କରିଥିବା ଯୋଗ୍ୟ ବ୍ୟକ୍ତିମାନେ ଇଣ୍ଟରନେଟ ମାଧ୍ୟମରେ ଆବେଦନ କଲେ ଆସନ୍ତା ମାସଠାରୁ ଭତ୍ତା ପାଇପାରିବେ । କେହି ବି ଯୋଗ୍ୟ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହେବେ ନାହିଁ ବୋଲି ସେ ଦୃଢ଼ ଭାବେ କହିଥିଲେ ।

କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ବଲାଙ୍ଗିର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବଲ୍ଲଭ ଧରୁଆ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେଶ ମେହେର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଟୀନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ, ଶବ୍ଦ ମିର୍ଦ୍ଧାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ବହୁ ହିତାଧିକାରୀ ଉପସ୍ଥିତ ଥିଲେ ।

Exit mobile version