
ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ଭୁବନେଶ୍ଵର ରିପୋର୍ଟ ଅଭିମନ୍ୟୁ :- ଭୁବନେଶ୍ଵର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ବିସ୍ଫୋରଣ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି । ପେଟ୍ରୋଲ ପମ୍ପରେ ଥିବା ସିଏନଜି ଷ୍ଟକରେ ନିଆଁ ଲାଗିଛି । ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ଅଦ୍ୟାବଧି ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚିଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପେଟ୍ରାଲ ପମ୍ପର ସିଏନଜି ଟାଙ୍କିରେ ନିଆଁ ଲାଗିଯାଇଥିବା ଚର୍ଚା ହେଉଛି । ଲୋକମାନେ ଭୂମିକମ୍ପ ହୋଇଥିବା ଭାବି ଘରୁ ପଦାକୁ ବାହାରି ଆସିଥିବା ଦେଖାଯାଇଛି ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଗାଡ଼ି ପହଞ୍ଚିଛି । ଅଗ୍ନିକାଣ୍ଡ ନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣରେ ରହିଛି । ୨ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
