ମହିଳା ‘ଷ୍ଟକିଂ’ ବିରୋଧରେ ସଚେତନତା କର୍ମଶାଳା ମହିଳାଙ୍କ ମର୍ଯ୍ୟାଦା ଓ ଇଚ୍ଛାକୁ ସମ୍ମାନ ଦେବା ହିଁ ପ୍ରକୃତ ଶକ୍ତି : ଶ୍ରୀମତୀ ରାହାତକର

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମହିଳାଙ୍କ ପ୍ରତି ହେଉଥିବା ‘ଷ୍ଟକିଂ’ (ଅନୁସରଣ ବା ଅନିଚ୍ଛାକୃତ ଭାବେ ପିଛା କରିବା) ଭଳି ଅପରାଧର ମୁକାବିଲା କରିବା ସହ ମହିଳାଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ମହିଳା କମିଶନ (OSCW) ଏବଂ ଜାତୀୟ ମହିଳା କମିଶନ (NCW) ଙ୍କ ମିଳିତ ଆନୁକୂଲ୍ୟରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନୂତନ ଅଡିଟୋରିୟମ୍‌ରେ ଆୟୋଜିତ ଜାତୀୟ କର୍ମଶାଳାରେ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ବିଜୟା ରାହାତକର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ା

କର୍ମଶାଳାରେ ଶ୍ରୀମତୀ ରାହାତକର କହିଥିଲେ ଯେ, ‘ଷ୍ଟକିଂ’ ମହିଳାଙ୍କ ସୁରକ୍ଷା, ସମ୍ମାନ, ମାନସିକ ଶାନ୍ତି ଓ ସ୍ୱାଧୀନତା ପ୍ରତି ଗମ୍ଭୀର ଚିନ୍ତାର ବିଷୟ । ରିଲ୍ ଲାଇଫ୍ ଓ ବାସ୍ତବ ଜୀବନ ମଧ୍ୟରେ ପାଥର୍କ୍ୟ ରହିଛି । କୌଣସି ମହିଳାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ପିଛା କରିବା କିମ୍ବା ଅଧିକାର ଜାହିର କରିବା ଗ୍ରହଣୀୟ ନୁହେଁ । ମହିଳାଙ୍କ ଇଚ୍ଛା ଓ ସମ୍ମାନକୁ ମର୍ଯ୍ୟାଦା ଦେବା ହିଁ ପ୍ରକୃତ ଶକ୍ତିର ପରିଚୟ ବୋଲି ସେ କହିଥିଲେ । ମହିଳାଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ଭୟମୁକ୍ତ ପରିବେଶ ଗଠନ କରିବା ନିମନ୍ତେ ଆଇନଗତ ସଚେତନତା, ସମୟୋଚିତ ଅଭିଯୋଗ ଏବଂ ସମାଜର ସକ୍ରିୟ ସହଯୋଗ ଅପରିହାର୍ଯ୍ୟ ବୋଲି ଏହି କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା ।

ଏହି ଅବସରରେ ସେ ‘ଷ୍ଟକିଂ’ର ବିଭିନ୍ନ ରୂପ ଓ ସ୍ୱରୂପ, ଏ ସଂକ୍ରାନ୍ତ ଆଇନଗତ ବ୍ୟବସ୍ଥା, ନିରାକରଣ ଓ ପ୍ରତିରୋଧର ଉପାୟ ତଥା ପୀଡ଼ିତାଙ୍କ ପାଇଁ ଉପଲବ୍ଧ ସହାୟତା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋକପାତ କରାଯାଇଥିଲା । ଏଭଳି ଘଟଣାକୁ ନୀରବରେ ସହ୍ୟ ନ କରି ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ମହିଳାଙ୍କ ସୁରକ୍ଷା ଦିଗରେ ପରିବାର, ଶିକ୍ଷାନୁଷ୍ଠାନ, ପ୍ରଶାସନ ଓ ସମାଜର ସାମୂହିକ ଦାୟିତ୍ୱ ରହିଥିବା ସେ ଉଲ୍ଲେଖ କରିଥିଲେ । ଏଥିସହ ମହିଳା ଓ ଯୁବତୀମାନଙ୍କୁ ନିଜ ଅଧିକାର ଓ ସୁରକ୍ଷା ପାଇଁ ଉପଲବ୍ଧ ଆଇନ ସଂର୍ପକରେ ସଚେତନ ରହିବାକୁ ସେ ଆହ୍ୱାନ ଦେଇଥିଲେ ।

ଅସୁରକ୍ଷିତ ମନେ କଲେ ଅନ୍‌ଲାଇନ୍‌ରେ ଶୂନ୍ୟ ଏଫ୍‌ଆଇଆର୍ ଦାଖଲ ଓ ମହିଳା ପୋଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାର ସୁବିଧା ରହିଛି । ନକଲି ସୋସିଆଲ ମିଡିଆ ଆକାଉ , ଫଟୋର ଅପବ୍ୟବହାର ଓ ମୋବାଇଲ୍ ହ୍ୟାକିଂ ଭଳି ସାଇବର ଅପରାଧ ପାଇଁ ମଧ୍ୟ ଆଇନଗତ ବ୍ୟବସ୍ଥା ରହିଛି । ତେଣୁ ମହିଳାମାନେ ଏହି ଅଧିକାର ଓ ସେବା ବିଷୟରେ ଜାଣି ଆବଶ୍ୟକ ସମୟରେ ଏହାର ଉପଯୋଗ କରିବା ଉଚିତ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ମହିଳା କମିଶନ୍‌ର ଆବାହକ ସଚିବ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ (OAS-SAG) ସ୍ୱାଗତ ଜଣାଇଥିଲେ । ଏହି କର୍ମଶାଳରେ ଜାତୀୟ ମହିଳା କମିଶନର ଉପ-ନିର୍ଦ୍ଦେଶକ ଶ୍ରୀ ରାମାବତାର ସିଂ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜ୍ୟୋତ୍ସା କେ.ବି. ରାଉତ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ରାଜ୍ୟ ମହିଳା କମିଶନର ସଦସ୍ୟା ଶ୍ରୀମତୀ ଉର୍ମିଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଶ୍ରୀମତୀ ପ୍ରତିଭା ଶତପଥୀ, ଡ.କଳ୍ପନା ମଲ୍ଲିକ ଏବଂ ଶ୍ରୀମତୀ ମୁକ୍ତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version