ବିକାଶ ପରିଷଦର ପାଣ୍ଠି ବିଜୁ ଜନତା ଦଳର ଦଳୀୟ ପାଣ୍ଠି ଭାବେ ବ୍ୟବହୃତ ହେଉଛି : ପ୍ରଦୀପ ପୁରୋହିତ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ବରଗଡ଼ :- ଜନମତ ଓ ଜନ ଆନ୍ଦୋଳନ କୁ ସ୍ବାକାର କରି ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶ ପାଇଁ ପଶ୍ଚିମ – ଓଡିଶା ବିକାଶ ପରିଷଦ ଗଠନ କରିଥିଲେ । ବିଜୁ ଜନତା ଦଳର ସରକାର ରାଜ୍ୟରେ ନେତୃତ୍ବ ନେବା ପରେ ଗତ ୨୦ବର୍ଷ ଧରି ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିକୁ ନିଜର ଦଳୀୟ ପାଣ୍ଠି ଭାବେ ବ୍ଯବହାର କରି ରାଜ୍ୟ ରାଜ କୋଷର କୋଟି କୋଟି ଟଙ୍କା କେବଳ ବରବାଦ୍ କରିଛି ବୋଲି ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ମତ ବ୍ଯକ୍ତ କରିଛନ୍ତି । ସିଏଜି ର ଅଡିଟ୍ ରିପୋର୍ଟ ଆସିବା ପରେ ବିଜୁ ଜନତା ଦଳର ସରକାର ବିକାଶ ପରିଷଦର ଅର୍ଥକୁ କିଭଳି ବିନିଯୋଗ କରୁଥିଲେ ତାହା ଧରା ପଡି ଯାଇଛି ବୋଲି ଶ୍ରୀ ପୁରୋହିତ ଉଲ୍ଲେଖ କରିଛନ୍ତି ।

ପଛୁଆ ଅଞ୍ଚଳର ବିକାଶ ପାଇଁ ଜଳ ସେଚନ କୁ ଗୁରୁତ୍ୱ ଦେବା ପାଇଁ ଯଦିଓ ବିକାଶ ପରିଷଦରେ ସ୍ଥିର ହୋଇଥିଲା ତା ସତ୍ତ୍ବେ ମାତ୍ର ୧୧ ଭାଗ ଅର୍ଥ ଜଳ ସେଚନ ପାଇଁ ବିନିଯୋଗ ହୋଇଛି ବୋଲି ସିଏଜି ତାଙ୍କର ଅଡିଟ୍ ରିପୋର୍ଟ ଉଲ୍ଲେଖ କରିଛନ୍ତି । ଘରୋଇ ଅନୁଷ୍ଠାନ କୁ ବିକାଶ ପରିଷଦ ଅନୁଦାନ ଯୋଗାଇ ଦେବାର ନିୟମ ନଥିବା ବେଳେ ଗତ ୨୦ବର୍ଷ ଭିତରେ ବିଜୁ ଜନତା ଦଳ ସହ ସଂପର୍କ ଥିବା ଅନେକ ଘରୋଇ ଅନୁଷ୍ଠାନ କୁ କୋଟି କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଓ ଏଥିରେ ବ୍ଯାପକ ମାତ୍ରାରେ କିକ୍ ବେଗ ହୋଇଥିବାର ଅନୁମାନ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବାର ବ୍ଯକ୍ତି ବିଶେଷଙ୍କୁ ବିଶେଷଜ୍ଞ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିବାର ନିୟମ ଥିବାବେଳେ ଗତ ୨୦ ବର୍ଷ ଭିତରେ ରାଜ୍ୟ ସରକାର ଜଣେ ଭି ବିଶେଷଜ୍ଞ ବ୍ଯକ୍ତିକୁ ବିକାଶ ପରିଷଦର ସଦସ୍ୟ ଭାବେ ମନୋନୀତ ନ କରି ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ମାନଙ୍କୁ ବିଶେଷଜ୍ଞ ସଦସ୍ୟ ଭାବେ ମନୋନୀତ କରିଛନ୍ତି ।

ପଶ୍ଚିମ ଓଡିଶା ବିକାଶ ପରିଷଦ ଦ୍ୱାରା ପଶ୍ଚିମ ଓଡିଶାର କୌଣସି ପ୍ରକାରର ଉନ୍ନତି ହେଉନଥିବା ବେଳେ ବିଜୁ ଜନତା ଦଳ ବିକାଶ ପରିଷଦର ଅର୍ଥ ଜରିଆରେ ନିଜର ଦଳୀୟ ସଂଗଠନ ତିଆରି କରୁଥିବା ଓ ଦଳୀୟ କର୍ମୀଙ୍କୁ ଠିକାଦାର କରାଇ ପଇସା ରୋଜଗାର କରିବାର ପନ୍ଥା ଅବଲମ୍ବନ କରାଯାଇଛି । ତେଣୁ ବାସ୍ତବରେ ନବୀନ ବାବୁଙ୍କ ସରକାର ଯଦି ପଶ୍ଚିମ ଓଡିଶାର ବିକାଶ ଚାହୁଁଛନ୍ତି ତେବେ ଏହାକୁ ସରକାର ନିଜ ନିୟନ୍ତ୍ରଣ ରେ ନରଖି ସ୍ବୟଂ ଶାସିତ ବିକାଶ ପରିଷଦ ଗଠନ କରି ବର୍ଷକୁ ୧ ହଜାର କୋଟି ଟଙ୍କାର ଅନୁଦାନ ଯୋଗାଇ ଦେବା ସହ ପଶ୍ଚିମ ଓଡିଶାର ଯେ କୌଣସି ସ୍ଥାନରେ ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ପାଇଁ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ଓଡିଶା ସରକାର ଙ୍କ ଠାରେ ଦାବି କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version