କଣ୍ଟାବାଞ୍ଜିର ଦୁଇ ଝିଅଙ୍କ କମାଲ୍ ! ୨୮୮ ଜଣଙ୍କୁ ପଛରେ ପକାଇ ଜିତିଲେ ୧ ଲକ୍ଷ ଟଙ୍କା, ଏବେ ଭୁବନେଶ୍ୱର ଯାତ୍ରା

କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟର ଦୁଇ ଛାତ୍ରୀ ଇତିହାସ ରଚିଛନ୍ତି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର ଠାରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ନବାଚାର ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ସେମାନେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଗତ ୩ ଓ ୪ ନଭେମ୍ବରରେ ହୋଇଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁବନ୍ଧିତ ମହାବିଦ୍ୟାଳୟର ୯୬ଟି ଦଳର ୨୮୮ ଜଣ ପ୍ରତିଯୋଗୀ ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ସେଥିମଧ୍ୟରୁ ଶ୍ରେଷ୍ଠ ୨୧ଟି ପ୍ରକଳ୍ପ ଫାଇନାଲକୁ ଯାଇଥିଲା । ଆଜି ଅନୁଷ୍ଠିତ ଫାଇନାଲରେ ୭ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି ।

ସେଥିରେ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ବାଣିଜ୍ୟ ବିଭାଗର ଛାତ୍ରୀ ସାହିନ ବେଗମ ଓ ଝରଣା ଖମାରୀଙ୍କ ପ୍ରକଳ୍ପ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସେମାନେ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇବା ସହ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ବିଶ୍ୱବିଦ୍ୟାଳୟର ନୂତନ ଏକାଡେମିକ୍ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଫାଇନାଲରେ ବିଚାରକ ଭାବେ ଆଇଆଇଏମ୍ ସମ୍ବଲପୁରର ଇଙ୍କ୍ୟୁବେସନ୍ ମ୍ୟାନେଜର ସ୍ୱାଧୀନ ମହାନ୍ତି, ଜିଲ୍ଲା ଶିଳ୍ପ କେନ୍ଦ୍ର ବଲାଙ୍ଗୀରର ପ୍ରକଳ୍ପ ନିର୍ଦ୍ଦେଶକ ନିରୋଜ ରଞ୍ଜନ ପାଣିଗ୍ରାହୀ, ସରକାରୀ ପଲିଟେକ୍ନିକ୍ ବଲାଙ୍ଗୀରର ଉପାଧ୍ୟକ୍ଷ ଇଂ ଲୋକେଶ ପଟ୍ଟନାୟକ ଓ କୃଷି ଉଦ୍ୟୋଗୀ ସିଦ୍ଧେଶ୍ୱର ମିଶ୍ର ପ୍ରକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ ।

ପୁରା ପ୍ରତିଯୋଗିତା ରାଜନୀତି ଅଧ୍ୟାପକ ଡଃ ଶିବରାମ ବଡତ୍ୟାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ କୁଳପତି ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡଃ ପ୍ରତାପ ଦାସ, କୁଳସଚିବ ହର ପ୍ରସାଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରୀଙ୍କ ଏହି କୃତିତ୍ୱ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସଫଳତା କାମନା କରିଛନ୍ତି । ସେମାନଙ୍କ ମେଣ୍ଟର କର୍ମଚାରୀ ନଜନିନ୍ ପର୍ମାରଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି ।

Exit mobile version