ରଣପୁର ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କଲେ ମାନ୍ୟବର ବାଚସ୍ପତି

ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଆଜି ରଣପୁର ଅଗ୍ନିଶମ କେନ୍ଦ୍ର ପରିଦର୍ଶନ କରିବା ସହ ନୂତନ ଅଗ୍ନିଶମ ଯାନର ଶୁଭାରମ୍ଭ କରିଛନ୍ତି । ଏହା ରଣପୁର ଓ ଏହାର ଆଖପାଖ ଅଞ୍ଚଳରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ନୂତନ ଅଗ୍ନିଶମ ଯାନ ଦ୍ୱାରା ଅଗ୍ନିକାଣ୍ଡ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ତ୍ୱରିତ ଓ ଦକ୍ଷତାର ସହ ଉଦ୍ଧାର ଓ ନିରାକରଣ କାର୍ଯ୍ୟ କରିବା ସମ୍ଭବ ହେବ। ଏହା ଅଞ୍ଚଳରେ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ଅଧିକ ସୁନିଶ୍ଚିତ କରିବ ।

ଏହି ଅବସରରେ ମାନ୍ୟବର ବାଚସ୍ପତି ଅଗ୍ନିଶମ କର୍ମଚାରୀମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ଦିଗରେ ସେମାନଙ୍କର ନିଷ୍ଠା, ସାହସ ଓ ସମର୍ପଣ ଭାବନାର ଉଚ୍ଚ ପ୍ରଶଂସା କରିଥିଲେ । ଅଞ୍ଚଳର ଯୁବପିଢ଼ିଙ୍କୁ ସନ୍ତରଣ ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଏବଂ ସନ୍ତରଣ ଉପକରଣ ଯୋଗାଇଦେବା ଉପରେ ମାନ୍ୟବର ବାଚସ୍ପତି ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ଅଞ୍ଚଳର ଯୁବତୀମାନଙ୍କୁ ସନ୍ତରଣ ପ୍ରଶିକ୍ଷଣ ପ୍ରଦାନ ଉପରେ ସେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଥିଲେ ।

ଏହାଦ୍ୱାରା ସ୍ଥାନୀୟ ଯୁବକଯୁବତୀଙ୍କ ମଧ୍ୟରେ ଜଳ ସୁରକ୍ଷା ଜନିତ ସଚେତନତା ବୃଦ୍ଧି ପାଇବା ସହ ଜଳ ଉଦ୍ଧାର କାର୍ଯ୍ୟରେ ଅଞ୍ଚଳର ଦକ୍ଷତା ଓ ପ୍ରସ୍ତୁତି ଅଧିକ ସୁଦୃଢ଼ ହୋଇପାରିବ । ଏଥିସହ ରଣପୁର ଅଗ୍ନିଶମ କେନ୍ଦ୍ରର ଭିତ୍ତିଭୂମି ଓ ବିକାଶମୂଳକ କାର୍ଯ୍ୟ ନିମନ୍ତେ ମାନ୍ୟବର ବାଚସ୍ପତି ନିଜ ବିଧାୟକ ପାଣ୍ଠି (MLA-LAD)ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଅଗ୍ନିଶମ କର୍ମଚାରୀମାନଙ୍କ କଲ୍ୟାଣ ଓ ସେମାନଙ୍କ ପରିବାରର ସୁବିଧା ପ୍ରତି ଦୃଷ୍ଟି ଦେଇ ମାନ୍ୟବର ବାଚସ୍ପତି କର୍ମଚାରୀମାନଙ୍କ ଆବାସିକ ପରିସରରେ ସେମାନଙ୍କ ପିଲାମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯିବ ବୋଲି ଘୋଷଣା କରିଥିଲେ ।

ଏହା ଅଗ୍ନିଶମ କର୍ମଚାରୀଙ୍କ ପରିବାରର କଲ୍ୟାଣ ସହ ପିଲାମାନଙ୍କ ପାଇଁ ଏକ ଉନ୍ନତ ଓ ସୁବିଧାଜନକ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ। କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ସେବା ଓ ହୋମଗାର୍ଡର ଆଇଜି ଡ. ଉମାଶଙ୍କର ଦାଶ ଉପସ୍ଥିତ ରହିଥିଲେ । ଏହା ସହିତ ଅଗ୍ନିଶମ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟରେ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଭିତ୍ତିଭୂମିର ବିକାଶ, ଆଧୁନିକ ଉପକରଣର ଉପଲବ୍ଧତା ଏବଂ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ମାଧ୍ୟମରେ ଜନସାଧାରଣଙ୍କୁ ତ୍ୱରିତ ଓ ଉନ୍ନତ ସେବା ଯୋଗାଇଦେବା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ନିରନ୍ତର ପ୍ରୟାସ ଜାରି ରଖିଛି । ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା l

Exit mobile version