ଓଡ଼ିଶାରେ ଷ୍ଟାର୍ଟଅପ୍ ବିପ୍ଳବ: ନଭେମ୍ବର ୧୪ ଏବଂ ୧୫ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବ ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ ୨୦୨୬

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଭାରତୀୟ ଅର୍ଥନୀତିରେ ଷ୍ଟାର୍ଟଅପ୍ ଗୁଡ଼ିକ ଏବେ ବିକାଶର ମୁଖ୍ୟ ଇଞ୍ଜିନ୍ ପାଲଟିଛନ୍ତି । ଏହି ପରିପ୍ରେକ୍ଷୀରେ, ଆଗାମୀ ନଭେମ୍ବର ୧୪ ଏବଂ ୧୫ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ୍ କ୍ରିଷ୍ଟାଲ୍ କ୍ରାଉନ୍ ଠାରେ ‘ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ (SIS) ୨୦୨୬’ ଅନୁଷ୍ଠିତ ହେବା ଏକ ସ୍ୱାଗତଯୋଗ୍ୟ ତଥା ଐତିହାସିକ ପଦକ୍ଷେପ। CNOX ଦ୍ୱାରା ଆୟୋଜିତ ଏହି ବିଶାଳ ସମ୍ମିଳନୀ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ନିବେଶକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଭାରତୀୟ ଷ୍ଟାର୍ଟଅପ୍ ଗୁଡ଼ିକୁ ସଠିକ୍ ପୁଞ୍ଜି ଓ ଅନୁକୂଳ ପରିବେଶ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏକ ମିଳିତ ଲକ୍ଷ୍ୟ ନେଇ ଆଗଉଛି ।

ଦେଶ ଯେତେବେଳେ ‘ବିକଶିତ ଭାରତ ୨୦୪୭’ ର ସ୍ୱପ୍ନ ଦେଖୁଛି, ଓଡ଼ିଶା ମଧ୍ୟ ସମାନ ଦୃଢ଼ତାର ସହ ‘ବିକଶିତ ଓଡ଼ିଶା’ ଗଠନ ଦିଗରେ ଦ୍ରୁତ ପଦକ୍ଷେପ ନେଉଛି। ଏହି ସନ୍ଧିକ୍ଷଣରେ ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ବାଟ ଦେଖାଇବା ପାଇଁ ଏହି ସମ୍ମିଟ୍ ମୁଖ୍ୟତଃ SCALE ଅର୍ଥାତ୍ ସପୋର୍ଟ, କ୍ୟାପିଟାଲ, ଆକ୍ସେଲରେସନ୍, ଲର୍ଣ୍ଣିଂ ଏବଂ ଇକୋସିଷ୍ଟମ୍ ଭଳି ପାଞ୍ଚଟି ମୂଳ ସ୍ତମ୍ଭ ଉପରେ କାର୍ଯ୍ୟ କରିବ। ବ୍ୟବସାୟିକ ଅଭିନବ ଚିନ୍ତାଧାରାକୁ କେବଳ ଆଲୋଚନାରେ ସୀମିତ ନରଖି ତାହାକୁ ସ୍ଥାୟୀ ପ୍ରଗତି ଓ ସଫଳତାରେ ପରିଣତ କରିବା ଦିଗରେ ଏହା ଏକ ବଳିଷ୍ଠ ମାଧ୍ୟମ ସାଜିବ ।

ସରକାର ଏବଂ ଶିଳ୍ପ ଜଗତ ମଧ୍ୟରେ ସୁସମ୍ପର୍କ ସ୍ଥାପନ ତଥା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟର ଶୀର୍ଷ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସମ୍ମିଟ୍ ରେ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ତାଙ୍କ ସମେତ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ଶିଳ୍ପ ଓ ଦକ୍ଷତା ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଶିଳ୍ପ ତଥା ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା (ଆଇଏଏସ୍) ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ରହିବେ। ଜଣେ ବାଣିଜ୍ୟ ସାମ୍ବାଦିକ ଭାବରେ ମୋର ବିଶ୍ୱାସ, ଏହି ସମ୍ମିଟ୍ ଆମ ରାଜ୍ୟରେ ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ର ମୂଳଦୁଆ ପକାଇବା ସହ ଭବିଷ୍ୟତର ଅର୍ଥନୈତିକ ସମୃଦ୍ଧି ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

Exit mobile version