ପୁରୀରେ ଅନୁଷ୍ଠିତ ହେଲା ‘ଜଗନ୍ନାଥ ପଞ୍ଚାମୃତ ଯୋଗ ଧର୍ମ ସମ୍ମିଳନୀ’

’
ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ବିଶ୍ୱ ସନାତନ ପଞ୍ଚାମୃତ ଯୋଗ ବାହିନୀର ଦିବ୍ୟ ସନ୍ଦେଶ କ୍ରମେ ଆଜି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଯୋଗ ଶିକ୍ଷା କେନ୍ଦ୍ର ପରିସରରେ ଏକ ଦିବସୀୟ ‘ଜଗନ୍ନାଥ ପଞ୍ଚାମୃତ ଯୋଗ ଧର୍ମ ସମ୍ମିଳନୀ’ ଅତ୍ୟନ୍ତ ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ମାଳିକାରେ ବର୍ଣ୍ଣିତ ଯୋଗାଶ୍ରମ, ବର୍ତ୍ତମାନର ଯୋଗ ପ୍ରାଣାୟାମ ଶିକ୍ଷା କେନ୍ଦ୍ର (ଷ୍ଟେସନ ରୋଡ଼, ପୁରୀ-୨) ଏବଂ ତପୋଭୂମି, ଦିବ୍ୟଭୂମି ଓ ଗୁପ୍ତ ବାବାଜୀଙ୍କ ଆନୁକୂଲ୍ୟରେ ଏହି ମହତ୍ତ୍ୱପୂର୍ଣ୍ଣ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ମହାସମାରୋହରେ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ମୁଖ୍ୟ ପୁରୋଧା ପ୍ରଫେସର ବିପିନ ବିହାରୀ ଖୁଣ୍ଟିଆ ସଭାପତିତ୍ୱ କରିଥିଲେ ।

କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ଯୋଗାଚାର୍ଯ୍ୟ ଶ୍ରୀ ଅକ୍ଷୟ କୁମାର ଗ୍ରହାଚାର୍ଯ୍ୟ ଯୋଗଦେଇ ଯୋଗ ଓ ଆଧ୍ୟାତ୍ମିକତାର ଶାସ୍ତ୍ରୀୟ ମହତ୍ତ୍ୱ ସମ୍ପର୍କରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ। ପଞ୍ଚତତ୍ତ୍ବରେ ମହାପ୍ରଭୁ ଜଗନ୍ନାଥ ବିଷୟକୁ ଆଧାର କରି ନିଜର ମାର୍ମିକ ଅଭିବ୍ଯକ୍ତିକୁ ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ମୁଖ୍ଯଅତିଥି ଭାବେ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ବର୍ତମାନ ସମୟରେ ଯୋଗ ଶରୀର ନିମିତ୍ତ ଅତ୍ଯନ୍ତ ଆବଶ୍ଯକ।ସମ୍ମାନନୀୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ମହାପାତ୍ର ଯୋଗଦେଇଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଧ୍ୟାତ୍ମିକତା ମାନବ ଜୀବନକୁ ଶୃଙ୍ଖଳିତ କରିବା ସହିତ ମାନସିକ ଶାନ୍ତି ପ୍ରଦାନ କରେ ।

ଶ୍ରୀଜଗନ୍ନାଥ ସଂସ୍କୃତି ଓ ଯୋଗଧର୍ମ ମଧ୍ୟରେ ଏକ ନିବିଡ଼ ଅନ୍ତଃସମ୍ପର୍କ ରହିଛି ବୋଲି ସେ ମତପ୍ରକାଶ କରିଥିଲେ। ମୁଖ୍ୟବକ୍ତା ଭାବେ ତତ୍ତ୍ୱବିତ୍ ଡକ୍ଟର ଶ୍ରୀନିବାସ ଆଚାର୍ଯ୍ୟ (ସମ୍ପାଦକ, ନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦ) ଯୋଗଦେଇ ଆଜିର ଯୁଗରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପଞ୍ଚାମୃତ ଯୋଗର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ । ଏହା ଜଗନ୍ନାଥ ଧାମର ମହାନ ପରମ୍ପରାକୁ ଆହୁରି ସମୃଦ୍ଧ କରିବ ବୋଲି ସେ ଉଲ୍ଲେଖ କରିଥିଲେ । ସେହିପରି କଟକୀ ମଠର ମହନ୍ତ ମହାରାଜ ଡକ୍ଟର ବିଜୟ ରାମାନୁଜ ଦାସ ମହୋଦୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସନାତନ ଧର୍ମ,

ଯୋଗ ଓ ଜଗନ୍ନାଥ ସଂସ୍କୃତିର ମହତ୍ତ୍ୱ ଓ ପରସ୍ପର ସମ୍ପର୍କ ସମ୍ବନ୍ଧରେ ନିଜର ସୁଚିନ୍ତିତ ମତ ରଖିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ଡ. ଚନ୍ଦନ କୁମାର ମିଶ୍ର ଶ୍ରୀ ରାମବଲ୍ଲଭ ମହାପାତ୍ର ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ । ଏହି ଅବସରରେ ଶ୍ରୀ ବାସୁଦେବ ଛଟୋଇ, ଶ୍ରୀ ମନୋରଞ୍ଜନ ସାହୁଙ୍କ ସମେତ ଅନେକ ବିଶିଷ୍ଟ ତଥା ଗଣ୍ୟମାନ୍ୟ ବ୍ୟକ୍ତି ତଥା ମହାବିଦ୍ଯାଳୟର ଛାତ୍ରଛାତ୍ରୀ ଉପସ୍ଥିତ ରହି ସମ୍ମିଳନୀର ଗରିମା ବୃଦ୍ଧି କରିଥିଲେ।ସମଗ୍ର ପରିବେଶ ଭକ୍ତି, ଆଧ୍ୟାତ୍ମିକତା ଓ ଯୋଗଚେତନାରେ ମୁଖରିତ ହୋଇଉଠିଥିଲା ।

Exit mobile version