ବୃତ୍ତଙ୍ଗ ବାସଚ୍ୟୁତଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା, ୧୮ ଅଭିଯୋଗର ଶୁଣାଣି

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ବୃହତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ହେବା ଦ୍ୱାରା ପ୍ରାୟ ୪୧ଟି ଗ୍ରାମ ପ୍ରଭାବିତ ହେବେ। ଭିଟାମାଟି ହରାଇବାକୁ ଥିବା ବିସ୍ଥାପିତଙ୍କୁ ନେଇ ଆଜି କୁଲୁରୁକୁମ୍ପା ପଞ୍ଚାୟତ ସ୍ଥିତ ଗୁରହା ଗ୍ରାମରେ ବୃତ୍ତଙ୍ଗ ନଦୀବନ୍ଧ ବାସଚ୍ୟୁତ ସଂଗ୍ରାମ ସମିତି ମଞ୍ଚ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ପହଞ୍ଚି ବିସ୍ଥାପିତଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ।

ବୃତ୍ତଙ୍ଗ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହ ବିସ୍ଥାପିତ ହେବାକୁ ଥିବା ଲୋକମାନଙ୍କ ପାଇଁ ସରକାର ଯୋଗାଇ ଦେବାକୁ ଥିବା ସୁବିଧା ସୁଯୋଗ ଉପରେ ସେ ବିଶେଷ ଆଲୋଚନା କରିଥିଲେ । ଏହି ଅବସରରେ ପୂର୍ବରୁ ବିସ୍ଥାପିତମାନେ ଦେଇଥିବା ୧୮ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ସେଥିମଧ୍ୟରୁ ଯେଉଁ ସୁବିଧା ଗୁଡ଼ିକ ସରକାରଙ୍କ ନିୟମାବଳୀରେ ନାହିଁ, ସେ ନେଇ ଜିଲ୍ଲାପାଳ ସରକାରଙ୍କ ସହ ଆଲୋଚନା କରି ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ,

ଦଶପଲ୍ଲା ବିଡ଼ିଓ ଶରତ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ସମାଧାନ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବୃତ୍ତଙ୍ଗ ନଦୀବନ୍ଧ ବାସଚ୍ୟୁତ ସଂଗ୍ରାମ ସମିତି ମଞ୍ଚର ସମ୍ପାଦକ ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିବା ବେଳେ ପରାମର୍ଶଦାତା ଶାନ୍ତନୁ କୁମାର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବୈଠକରେ ବହୁ ସଂଖ୍ୟାରେ ପ୍ରଭାବିତ ଗ୍ରାମର ଲୋକେ ଉପସ୍ଥିତ ଥିଲେ।

Exit mobile version