କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ତୁରେକେଲା :- ଜନଶୁଣାଣି ପୋର୍ଟାଲରେ ଗୋଟିଏ ଅଭିଯୋଗ, ଆଉ ବଦଳିଗଲା ଗାଁ ସ୍କୁଲର ଭାଗ୍ୟ। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଦାବ୍ରି ଗ୍ରାମସ୍ଥିତ ପ୍ରାଥମିକ ବିଦ୍ୟାଳୟର ଦୁରବସ୍ଥାକୁ ନେଇ ହୋଇଥିବା ଅଭିଯୋଗ ଏବେ ବଡ଼ ସଫଳତା ଆଣିଛି । ଦାବ୍ରି ଦୁଆରଶନୀ ଯୁବକ ସଂଘର ସଭାପତି ତଥା ସମାଜସେବୀ ରାଜୁ ଛତ୍ରିଆ ବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପ୍ରଶାସନ ତଦନ୍ତ କରିବା ପରେ ଏବେ ସକାରାତ୍ମକ ନିଷ୍ପତ୍ତି ପ୍ରକାଶ ପାଇଛି । ତୁରେକେଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପ୍ରେରିତ ସରକାରୀ ଚିଠି ଅନୁଯାୟୀ, ଦାବ୍ରି ପ୍ରାଥମିକ ବିଦ୍ୟାଳୟର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ଇତିମଧ୍ୟରେ ପ୍ରଶାସନିକ ଅନୁମୋଦନ ମିଳିସାରିଛି ।
