ହାଇଦ୍ରାବାଦରେ ଇଟାଭାଟିରେ ଜଳିଗଲେ ଦାଦନ ଶ୍ରମିକ ଜଗନ୍ନାଥ

କଣ୍ଟାବାଞ୍ଜି  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) ମୁରିବାହାଲ :- ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ମୁରିବାହାଲ ବ୍ଲକ ମାଲିସିରା ପଞ୍ଚାୟତ ଡଙ୍ଗାବାଞ୍ଜି ଗ୍ରାମର ଜଗନ୍ନାଥ ଧରୁଆ (୨୮) କାମ କରିବାକୁ ହାଇଦ୍ରାବାଦ ଯାଇଥିଲେ । ବୁଧବାର ଏକ ଇଟାଭାଟିରେ କାମ କରୁଥିବା ସମୟରେ ଇଟା ପୋଡ଼ିବା ପାଇଁ ନିଆଯାଉଥିବା ଜଳନ୍ତା ପାଉଁଶ ହଠାତ୍ ତାଙ୍କ ଉପରେ ପଡ଼ିଯାଇଥିଲା । ଏଥିରେ ସେ ପୋଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଶ୍ରମିକଙ୍କ ଦୁଇ ଗୋଡ଼ ମଧ୍ୟ ପୋଡ଼ିଯାଇଥିଲା । ଉଭୟଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଜଗନ୍ନାଥଙ୍କୁ ମୃତ ଘୋଷଣା କରିଥିଲେ। ପରେ ହାଇଦ୍ରାବାଦରେ ହିଁ ତାଙ୍କର ଶବଦାହ କରାଯାଇଥିବା ପରିବାର ଲୋକେ କହିଛନ୍ତି ।

ଜଗନ୍ନାଥଙ୍କ ମୃତ୍ୟୁରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ମାତ୍ର ୨୫ ବର୍ଷ ବୟସରେ ସ୍ୱାମୀଙ୍କୁ ହରାଇ ସ୍ତ୍ରୀ ଭୂମିସୂତା ଧରୁଆ ଅସହାୟ ହୋଇପଡ଼ିଛନ୍ତି । ଦୁଇ ଛୋଟ ଛୁଆ ପୁଅ ସମୀର (୨) ଓ ଝିଅ ସୋନାକ୍ଷୀ (୪) ବାପାଙ୍କ ସ୍ନେହରୁ ବଞ୍ଚିତ ହୋଇଛନ୍ତି । ଯେଉଁ ବାପା ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ପରଦେଶକୁ ଯାଇଥିଲେ, ଆଜି ସେହି ପିଲାଙ୍କ ମୁଣ୍ଡରୁ ଚିରଦିନ ପାଇଁ ଉଠିଯାଇଛି ବାପାଙ୍କ ସ୍ନେହଭରା ଛାୟା । ସ୍ୱାମୀଙ୍କୁ ହରାଇ ଦୁଇ ଛୋଟ ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ଭୂମିସୂତା ।

ତେବେ ଜଗନ୍ନାଥ କେଉଁ ଦାଦନ ସର୍ଦ୍ଦାରଙ୍କ ମାଧ୍ୟମରେ ହାଇଦ୍ରାବାଦ ଯାଇଥିଲେ, ତାଙ୍କର ପଞ୍ଜୀକରଣ ହୋଇଥିଲା କି ନାହିଁ ଏବଂ ଇଟାଭାଟିରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା କିପରି ଥିଲା, ତାହାର ତଦନ୍ତ କରିବାକୁ ଦାବି ହେଉଛି । ଏଥିସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ସହ ବିଧବା ସ୍ତ୍ରୀଙ୍କୁ ସରକାରୀ ସହାୟତା ଓ ଦୁଇ ଛୋଟ ଛୁଆଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Exit mobile version