ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ,

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସରକାରୀ ଆବାସ ଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରୁଥିବା ବେଳେ ଜଣେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ରାଣୀପଙ୍ଗା ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାଲି ଗ୍ରାମର ଜଣେ ମେଟ୍‌ ଆମନ ପ୍ରଧାନଙ୍କୁ କୋଟଗଡ଼ ପୁଲିସ ଗିରଫ କରିଛି । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ଜେଲ୍‌ ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, କୋଟଗଡ଼ ବ୍ଲକ ରାଣୀପଙ୍ଗା ପଞ୍ଚାୟତର ଗୁହେରଗାଁ, ପାଙ୍ଗାଲି ଓ ରାଣୀପଙ୍ଗା ଗ୍ରାମରେ ଚାଲିଥିବା ଆବାସ ଗୃହ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ସ୍ଥିତି ସମୀକ୍ଷା କରିବାକୁ ଯାଇଥିଲେ ଏଡିଓ ଆନନ୍ଦ ବେହେରଦଳେଇ ଓ ପିଇଓ ରଞ୍ଜନ ପ୍ରଧାନ ।

ଏହି ସମୟ ରେ ପାଙ୍ଗାଲି ଗ୍ରାମର ମେଟ୍‌ ଆମନ ପ୍ରଧାନ ହଠାତ୍ ପଛପଟୁ ଆସି ଏଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଏଡିଓଙ୍କ ବାମ କାନରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ଏଭଳି ଘଟଣାକୁ ନେଇ ଏଡିଓ ଓ ଏଡିଓ ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଥିଲା । ଏନେଇ ଜିପିଡିଓ ଲଳିତ ମୋହନ ସାହୁଙ୍କ ସମେତ ବିଡିଓଙ୍କୁ ଲିଖିତ ଭାବେ ଅବଗତ କରାଯିବା ସହ କୋଟଗଡ଼ ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା ।

ଅଭିଯୋଗ ଆଧାରରେ କୋଟଗଡ଼ ପୁଲିସ କେସ୍‌ ନଂ. ୨୦୧/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ର ଧାରା ୧୨୬(୨), ୨୯୬, ୧୦୯(୧), ୧୩୨ ଓ ୩୫୧(୩) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତକାରୀ ଅଧିକାରୀ ଜିତେନ୍ଦ୍ର ବେହେରା ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରି ଅଭିଯୁକ୍ତ ଆମନ ପ୍ରଧାନଙ୍କୁ ତାଙ୍କ ଘରୁ ଗିରଫ କରିଥିଲେ । ସରକାରୀ ଯୋଜନାର କାର୍ଯ୍ୟ ତଦାରଖ ଓ ସମୀକ୍ଷା କରିବାକୁ ଯାଉଥିବା କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣ ଘଟଣା ସରକାରୀ କାର୍ଯ୍ୟର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । କ୍ଷେତ୍ରସ୍ତରରେ ଦାୟିତ୍ୱ ନିର୍ବାହ କରୁଥିବା କର୍ମଚାରୀଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Exit mobile version