ଗାଈ ଛେଳି ଚରାଉଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ମୃତଦେହ ରଖି ରାସ୍ତା ଅବରୋଧ, କ୍ଷତିପୂରଣ ଦାବିରେ ଉତ୍ତେଜନା; ଡ୍ରାଇଭର ଅଟକ, ଗାଡ଼ି ଜବତ

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗାଈ ଓ ଛେଳି ଚରାଇବାକୁ ଯାଇଥିବା ଜଣେ ବୃଦ୍ଧାଙ୍କ ପାଇଁ କାଳ ସାଜିଲା ଦ୍ରୁତଗାମୀ ପିକ୍‌ଅପ୍‌ ଭ୍ୟାନ୍‌। ରାସ୍ତାକଡ଼ରେ ବସିଥିବା ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ତାଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ମୁଖ୍ୟ ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ବୃଦ୍ଧା ଜଣକ ହେଲେ ଗୁଞ୍ଜିବାଡ଼ି ଖଲିଗୋଦାମ ସାହିର ନମ ପ୍ରଧାନଙ୍କ ପତ୍ନୀ ଟୁପା ପ୍ରଧାନ (୫୫) ।

ପ୍ରତିଦିନ ଭଳି ଟୁପା ଗାଈ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ରାସ୍ତାକଡ଼ରେ ବସିଥିଲେ। ଏହି ସମୟରେ ରାଇକିଆ ପଟୁ କ.ନୂଆଗାଁ ଅଭିମୁଖେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯାଉଥିଲା। ହଠାତ୍‌ ଏକ ଛେଳି ଗାଡ଼ି ସମ୍ମୁଖକୁ ଦୌଡ଼ି ଆସିବାରୁ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ବସିଥିବା ଟୁପାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୁଖ୍ୟ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଥିଲେ।

ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ସାରଙ୍ଗଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି। ଏନେଇ ଥାନା ଅଧିକାରୀ ସ୍ମିତା ଜେନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଘଟଣାସ୍ଥଳରେ କ.ନୂଆଗାଁ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ ଓ ତହସିଲଦାର ସମୀର ପାଇକରାୟ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ରାସ୍ତା ଅବରୋଧ ହଟିନଥିବାରୁ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇପାରିନଥିଲା। ମୃତକଙ୍କ ପରିବାରକୁ କେବେ ଓ କିପରି ସହାୟତା ମିଳିବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ଅପେକ୍ଷା ରହିଛି।

Exit mobile version