ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ

ନାଟକ ‘ଇନକିଲାବ ଜିନ୍ଦାବାଦ୍’ ଓ ଅଲତାଫ୍ ରାଜାଙ୍କ ସଙ୍ଗୀତ ହେବ ମୁଖ୍ୟ ଆକର୍ଷଣ

‎‎ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ ଅନୁଷ୍ଠିତ ହେବ । ଚଳିତବର୍ଷ ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ ସମ୍ମାନିତ ହେବେ । ଏହି ଅବସରରେ ଭୂଦାନ ଛକସ୍ଥିତ ପୂଜାପଣ୍ଡା କନଭେନସନ୍‌ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମିତିର ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଚକ୍ରଧର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକାରୀ ସଭାପତି ରାଜେଶ ମିଶ୍ର, ସ୍ମରଣିକା ସମ୍ପାଦକ ଶ୍ରୀକାନ୍ତ ମହାନ୍ତି, ଉପସଭାପତି ଅମରେନ୍ଦ୍ର ପାଇକରାୟ,

ପୂଜାପଣ୍ଡା କନଭେନସନର କୃପାସିନ୍ଧୁ ପୂଜାପଣ୍ଡା ଓ ପ୍ରତିଯୋଗିତା ସଂଯୋଜନା କମିଟିର ଅଧ୍ୟକ୍ଷ ସୁକାନ୍ତ ପଣ୍ଡାଙ୍କ ସମେତ ସମିତିର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ପରମ୍ପରା ଓ ଲୋକକଳାର ମହକକୁ ନେଇ ପୁଣିଥରେ ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର। ଦୀର୍ଘ ୫୯ ବର୍ଷର ସାଂସ୍କୃତିକ ପରମ୍ପରାକୁ ଆଗେଇ ନେଇ କୁମାର ଉତ୍ସବ ସମିତି, ପୁରୀ ପକ୍ଷରୁ ଆସନ୍ତା ନଭେମ୍ବର ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ଶରଧାବାଲିସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହେବ ୫୯ତମ କୁମାର ଉତ୍ସବ-୨୦୨୬ । କେବଳ ଏକ ଉତ୍ସବ ନୁହେଁ, ବରଂ ପୁରୀର ସାଂସ୍କୃତିକ ଅସ୍ମିତା, ଯୁବ ପ୍ରତିଭାର ଅଭିବ୍ୟକ୍ତି ଓ ଲୋକକଳାର ସଂରକ୍ଷଣ ପାଇଁ ଏହି ଉତ୍ସବ ଦୀର୍ଘ ଦଶନ୍ଧି ଧରି ଏକ ଅନନ୍ୟ ମଞ୍ଚ ଭାବେ ପରିଚିତ ।

ଏହି ତିନିଦିନିଆ ମହୋତ୍ସବରେ ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତର କଳା, ସଂସ୍କୃତି ଓ ନୃତ୍ୟ ପରମ୍ପରାର ମନୋରମ ସମାହାର ଦେଖିବାକୁ ମିଳିବ।‎ ଚଳିତବର୍ଷର ଉତ୍ସବର ମୁଖ୍ୟ ଆକର୍ଷଣ ରହିବ ମହାନ ବିପ୍ଳବୀ ସହିଦ ଭଗତ ସିଂହଙ୍କ ଜୀବନୀ ଓ ଦେଶପ୍ରେମର ଭାବଧାରା ଉପରେ ଆଧାରିତ ନାଟକ ‘ଇନକିଲାବ ଜିନ୍ଦାବାଦ୍’। ଯୁବ ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏହି ନାଟକ ମଞ୍ଚସ୍ଥ ହେବ । ଏଥିସହ ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅଲତାଫ୍ ରାଜାଙ୍କ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ପାଇଁ ଅନ୍ୟତମ ଆକର୍ଷଣ ହେବ।‎ଉଦ୍‌ଘାଟନୀ ସନ୍ଧ୍ୟାରେ ରୂପା ଆଣ୍ଡ ଟ୍ରୁପ୍ ପକ୍ଷରୁ ସଙ୍ଗୀତ ରୂପକ ‘କୁଆଁର ପୁନେଇଁ ଜହ୍ନ’, ବୈଭବୀ କଳା କେନ୍ଦ୍ର ପକ୍ଷରୁ ମାହାରୀ ଓ ଓଡ଼ିଶୀ ନୃତ୍ୟ, ବରଦ ମହାବୀର ନୃତ୍ୟ ଗ୍ରୁପ୍‌ର ମେଢ଼ ନୃତ୍ୟ, ଢୋଲ ମହୁରୀ କଳା ପରିଷଦ, ବଲାଙ୍ଗୀରର ସମ୍ବଲପୁରୀ ଲୋକନୃତ୍ୟ, ଲିଙ୍ଗରାଜ ନୃତ୍ୟାଳୟର ଆଦିବାସୀ ଓ ସମ୍ବଲପୁରୀ ନୃତ୍ୟ, ସାଇ ସମୃଦ୍ଧି ଡ୍ୟାନ୍ସ ଗ୍ରୁପ୍‌,

ସାକ୍ଷୀଗୋପାଳର ଦେବୀସ୍ତୁତି ଏବଂ ଲିଙ୍ଗରାଜ କଳା ନିକେତନ, ପୁରୀର ‘ସର୍ବଭୂତେ ହରି’ ପରିବେଷିତ ହେବ।‎ଦ୍ୱିତୀୟ ଦିବସରେ ଅନନ୍ୟା କଳା ମନ୍ଦିର, ପୁରୀ ପକ୍ଷରୁ ଓଡ଼ିଶୀ ଓ ସମ୍ବଲପୁରୀ ଲୋକନୃତ୍ୟ, ୟୁନିକ୍ ଟ୍ରାନ୍ସଜେଣ୍ଡର ଗ୍ରୁପ୍‌ର ‘ନବଦୁର୍ଗା’, ନଟରାଜ ଡ୍ୟାନ୍ସ ଏକାଡେମୀ, କଟକର ରାଜସ୍ଥାନୀ ଲୋକନୃତ୍ୟ, ଜେଡିସି ନୃତ୍ୟଭୂମିର ବେଙ୍ଗଲ ଫୋକ୍ ଏବଂ ଆଦିନୃତ୍ୟ କଳା ଡ୍ୟାନ୍ସ ଏକାଡେମୀର ଝୁମର ନୃତ୍ୟ ପରିବେଷିତ ହେବ। ଉତ୍ସବର ଶେଷ ଦିବସରେ ଚାରୁ ନର୍ତ୍ତନ ପକ୍ଷରୁ ଓଡ଼ିଶୀ ନୃତ୍ୟ ‘କି ଶୋଭା ଗୋ କୁଞ୍ଜେ’ ପରିବେଷଣ କରାଯିବ ।‎ ଉତ୍ସବର ଉଦ୍‌ଘାଟକ ଭାବେ ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଯୋଗଦେବେ। ବିଭିନ୍ନ ଦିବସରେ ଅତିଥି ଭାବେ ଦୈନିକ ‘ସମାଜ’ର ସମ୍ପାଦକ ବାମପଦ ତ୍ରିପାଠୀ, ଇଷ୍ଟର୍ଣ୍ଣ ଫୁଡ୍‌ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ସାହୁ, ହେଲଥ୍ ଅନ୍ ଟପ୍‌ର ସିଇଓ ଡଃ ରଲହନ୍, ସମାଜସେବୀ ଗିରିଶ ଚନ୍ଦ୍ର ନାୟକ, ବରିଷ୍ଠ ସେବାୟତ ସୂର୍ଯ୍ୟ ନାରାୟଣ ସିଂହାରୀ, ରାମକୃଷ୍ଣ ଦାସମହାପାତ୍ର,

ବିଦ୍ୟାପତି ନନ୍ଦକିଶୋର ପତିମହାପାତ୍ର, ଶ୍ରୀଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଅତିରିକ୍ତ ଅଧୀକ୍ଷକ ଡଃ ପ୍ରସନ୍ନ ପ୍ରଧାନ, ପ୍ରଫେସର ସୌଭାଗ୍ୟ କୁମାର ସାହୁ, ସମାଜସେବୀ ବିଭୁପ୍ରସାଦ ସାହୁ, ଲତା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଲତା ଦାସ, ପୁରୀ ଜିଲ୍ଲା କିନ୍ନର ସଂଘର ସଭାପତି ପ୍ରିୟଅଂଶୀ ଦାସ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ ଦାସ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଓ ଗୋରୁଆଳ ସରପଞ୍ଚ ନିରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେବେ ।‎ ଏହି ଅବସରରେ ସମାଜର ଉଲ୍ଲେଖନୀୟ ଅବଦାନ ପାଇଁ ବ୍ଯକ୍ତି ମାନଙ୍କୁ ସମ୍ମାନିତ କରାଯିବ । ପ୍ରଶାସନିକ ଅଧିକାରୀ ଅମ୍ରିତ ମହାପାତ୍ରଙ୍କୁ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଦିବାକର ତ୍ରିପାଠୀ ସ୍ମୃତି ସମ୍ମାନ, ଅନ୍ବେଷଣ ର ସମ୍ପାଦକ ସନ୍ତୋଷ କୁମାର ରାଉତ, ସ୍ବେଚ୍ଛାସେବୀ ସୌମ୍ୟରଞ୍ଜନ ପାତ୍ରଙ୍କୁ ପୂର୍ବତନ ବିଧାୟକ ସ୍ବର୍ଗତ ଗଦାଧର ମିଶ୍ର ସ୍ମୃତି ସମ୍ମାନ,

ସମାଜସେବୀ ଅଜୟ କୁମାର ପ୍ରଧାନ ଓ ମହିଳା ଅଟୋ ଚାଳକ ଚନ୍ଦ୍ରକାନ୍ତ ପଲେଇଙ୍କୁ ସମାଜସେବୀ ସ୍ବର୍ଗତ ଭାରତୀ ନାୟକ ସ୍ମୃତି ସମ୍ମାନ, ନିଜ ଆଣ୍ଡ ହେଲଥ ଫାଉଣ୍ଡେସନର ପ୍ରିୟାଂଶୀ ଦାସଙ୍କୁ ସମୂହ ସେବା ସମ୍ମାନରେ ସମ୍ମାନିତ କରାଯିବ । ସାମ୍ବାଦିକ ସମ୍ମିଳନୀରେ ସନ୍ତୋଷ ମହାନ୍ତି, ଶୁଭଶ୍ରୀ ଜୟସିଂହ, ନିଗମ ପାତ୍ର, ଲିନୁ ନାୟକ, ଗୌତମ ସାହୁ, କ୍ଷୀରୋଦ କୁମାର ଦାଶ, ସୌମ୍ୟ ରଞ୍ଜନ ନାୟକ, ରାକେଶ କୁମାର ନାୟକ, ଅମ୍ରିତ କୁମାର ସାମନ୍ତରାୟ, ପପି ସାହୁ, ମିର୍ଣ୍ଣାଲିନ ଦାସ, ମନସ୍ମିତା ସାହୁ, ଚନ୍ଦନ କୁମାର ସାହୁ, ପ୍ରୀତିପନ୍ନା କରଣ, ଜ୍ୟୋତିର୍ମୟୀ ପଣ୍ଡା, ନିରଜ ମହାନ୍ତି, ପାୟଲ ମହାନ୍ତି, ବନିତା ଦୀକ୍ଷିତ, ସାହିଲ ମହାନ୍ତି ଓ ଅଭ୍ୟୁଦୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।‎କୁମାର ଉତ୍ସବ କେବଳ ମଞ୍ଚରେ ଆଲୋକ ଓ ସଙ୍ଗୀତର ଆସର ନୁହେଁ; ଏହା ପିଢ଼ି ପରେ ପିଢ଼ି ଧରି ଆମ ସଂସ୍କୃତି, କଳା ଓ ସାମୂହିକ ଆନନ୍ଦକୁ ଯୋଡ଼ି ରଖିଥିବା ଏକ ଭାବନାର ନାମ । ଆମ ମାଟିର କଳାକାରଙ୍କୁ ସମ୍ମାନ, ନୂଆ ପ୍ରତିଭାଙ୍କୁ ସୁଯୋଗ ଏବଂ ବିଭିନ୍ନ ସଂସ୍କୃତି ମଧ୍ୟରେ ସଦ୍‌ଭାବର ସେତୁ ଗଢ଼ିବା ହେଉଛି ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ ।

Exit mobile version