ଚାନ୍ଦପୁର ରାମଚଣ୍ଡୀ ସରକାରୀ ନୋଡାଲ ହାଇସ୍କୁଲ ର ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଘଟଣାର ବିଭାଗୀୟ ତଦନ୍ତ ତୁରନ୍ତ ହେଉ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଚାନ୍ଦପୁର ରାମଚଣ୍ଡୀ ସରକାରୀ ନୋଡାଲ ହାଇସ୍କୁଲ ର ମଧ୍ୟାହ୍ନ ଭୋଜନ ଚାଉଳ ଓ ଅଣ୍ଡା ଚୋରୀର ଇତିବୃତ୍ତ ତଦନ୍ତକାରୀ ଅଧିକାରୀ ବିଦ୍ୟାଳୟ ରେ ଉପଲବ୍ଧ ସମସ୍ତ ରେକର୍ଡ ପତ୍ର, ପିଲାଙ୍କ ଉପସ୍ଥାନ ଓ କେତେ ସଂଖ୍ୟକ ପିଲା ମଧ୍ୟାହ୍ନ ଭୋଜନ ଖାଇଥାନ୍ତି ତାହାକୁ ମେଳାଇବାକୁ ହେବ ଏହି ବିଦ୍ୟାଳୟ ରେ ବାଳବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୭୬ପିଲା ଅଧ୍ୟୟନ କରୁଛନ୍ତି।କେତେକ ପିଲା ମଧ୍ୟାହ୍ନ ଭୋଜନ ଖାଆନ୍ତି ନାହିଁ।ପିଲାମାନଙ୍କୁ ଶିକ୍ଷକ ମାନଙ୍କ ଉପସ୍ଥିତିରେ ନପଚାରି ଅଲଗା କରି ପଚାରିଲେ ସେମାନେ ସତ କଥା କହି ଦେବେ ପିଲାଙ୍କ ହିସାବକୁ ନେଇ ଚାଉଳ ଆସେ ଏଠାରେ ନିୟମିତ ଭାବେ ଭୁଲ ହିସାବ ଦିଆଯାଉଥିବା ଯୋଗୁ ଅଧିକ ଚାଉଳ ଆସେ, ଯାହା ଚୋରୀ କରିବା ପାଇଁ ସହଜ ହୋଇଥାଏ ।

ଏହା ହୋଇନଥିଲେ ୧୭କୁଇଣ୍ଟାଲ ଚାଉଳ ବାହାରେ ବିକ୍ରି କିପରି ହୋଇଥାନ୍ତା। ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟ ଟି ଚାଉଳ ଚୋରୀର କେନ୍ଦ୍ର ହୋଇଥିଲା। ଏହା ଜଣାପଡିବା ପରେ ନିଜକୁ ନିଷ୍କଳଙ୍କ ବୋଲାଇବା ପାଇଁ ପ୍ରଧାନ ଶିକ୍ଷକ ନିଜ ସହକାରୀଙ୍କ ଜରିଆରେ ଗତ ମାସ ୨୩ତାରିଖ ଦଶହରା ଛୁଟିରେ ଏହି ଚାଉଳକୁ ଆଣି ରଖିବା ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ଭରିବା ସଦୃଶ ହେଲା।କଣ ହେଲା କେଜାଣି କାହାର କିଛି କ୍ଷତି ନହେଉ ବୋଲି ଚିନ୍ତା କରି ପରିଚାଳନା କମିଟି ଓ ଗ୍ରାମବାସୀ ଚାଉଳ ବାବଦରେ ଯେଉଁ ପ୍ରସ୍ତାବ ଗ୍ରହଣ କରିଛନ୍ତି, ତାହା ପ୍ରଧାନ ଶିକ୍ଷକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ସେମାନଙ୍କ ଅଜାଣତରେ ଚାଉଳ ଚୋରୀକୁ ଗ୍ରହଣ କରିଥିବା ଭଳି ହୋଇଛି।

ଏତେ ପରିମାଣର ଚାଉଳ ର ଅବସ୍ଥା ଖରାପ ହୋଇଯିବା ହେତୁ ସେହି ଚାଉଳକୁ କୁଆଡେ ପ୍ରକ୍ରିୟା କରଣ କରିବାକୁ ନେବା ଆମ ରାଜ୍ୟରେ ପ୍ରଥମ ଘଟଣା ବୋଲି ଜଣାପଡିଛି।ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏହା ହୋଇଥିବା ସ୍ପଷ୍ଟ ହୋଇଯାଇଛି। ପରିଚାଳନା କମିଟିର ବଦାନ୍ୟତାକୁ ସମ୍ମାନ ଜଣାଇ ନିଜ ତ୍ରୁଟିକୁ ସଂଶୋଧନ କରିବା ପରିବର୍ତ୍ତେ ପୁଣି ଶିକ୍ଷକ ମାନେ ପିଲାଙ୍କ ଅଣ୍ଡା ଖାଉଥିବା ଦେଖାଯାଉଛି।ଏହାକୁ ଆଧାର କରି ତଦନ୍ତ କରାଗଲେ ଅଭିଯୁକ୍ତ ମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇ ପାରିବେ ଚାନ୍ଦପୁର ଅଂଚଳରେ ଏହା ଏପରି ଏକ ସ୍ପର୍ଶ କାତର ସମସ୍ୟା ରୂପେ ଦେଖାଦେଇଛି ଯେ, ସାମାନ୍ୟ ତ୍ରୁଟି ବିଚ୍ୟୁତି ତଦନ୍ତ ରେ ପରିଲକ୍ଷିତ ହେଲେ ଅଭିଯୋଗ କାରୀମାନେ ଜନସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳୁଛି।

ଏହି ଚାଉଳ ଚୋରୀ ଘଟଣାର ପ୍ରତିକ୍ରିୟା ଜାଣିବାକୁ ଓଷ୍ଟା ର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ୱାଳଙ୍କୁ ଆମ ପ୍ରତିନିଧି ସାକ୍ଷାତ କରିଥିଲେ।ଜଣେ ଶିକ୍ଷକ ହିସାବରେ ଏହି ଘଟଣା ଶୁଣିବା ପରେ ସେ ଗଭୀର ମର୍ମାହତ ଓ ସମଗ୍ର ଶିକ୍ଷକ ସମାଜ ପ୍ରତି ଏହା ଲଜ୍ଜା ତଥା ଚରମ ଅପମାନ ଜନକ ଘଟଣା ବୋଲି ଦୁଃଖର ସହ ପ୍ରକାଶ କରିଥିଲେ। ବିଗତ ଦିନରେ ଦାରିଦ୍ର୍ୟ ତାଡ଼ନାରେ ଆଦିବାସୀ ଅଧ୍ୟୁଷିତ ଅଂଚଳ ର କୋମଳ ମତି ଶିଶୁମାନେ ଓ ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କୁ ବିଦ୍ୟାଳୟ କୁ ଆଣିବା ପାଇଁ ଶିକ୍ଷକ ମହାସଂଘ ଓ ଓଷ୍ଟା ର ଦୁର୍ବାର ଆନ୍ଦୋଳନ ଫଳରେ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ପ୍ରକ୍ରିୟା ଆରମ୍ଭ କରିଥିଲେ।

ଶ୍ରୀ ବିଶ୍ୱାଳ ମଧ୍ୟ ଏହି ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ. ଶିକ୍ଷକ ଆନ୍ଦୋଳନ ଫଳରେ ଶିକ୍ଷକ ଜାତିର ସ୍ୱାଭିମାନ, ପଦମର୍ଯ୍ୟାଦା, ପଦୋନ୍ନତି ଓ ଆର୍ଥିକ ସୁବିଧା ସୁଯୋଗ ହାସଲ କରିବା ପରେ ଶେଷକୁ ଶିକ୍ଷକ ମାନେ କୋମଳ ମତି ଶିଶୁମାନଙ୍କ ଖାଦ୍ୟକୁ ଚୋରୀକରିବା ଭଳି ଘୃଣ୍ୟ ପ୍ରବୃତ୍ତିକୁ କୁ ଆଦରି ନେବେ ସେ ସ୍ୱପ୍ନରେ ସୁଦ୍ଧା ଆଶା କରିନଥିଲେ. ଶିକ୍ଷକ ମାନଙ୍କର ଏତାଦୃଶ ପଶୁ ଆଚରଣ କୁ ନିନ୍ଦା କରିବା ସହ ଏହା ଶୁଣିବା ପୂର୍ବରୁ ମୃତ୍ୟୁ ହୋଇଯାଇଥିଲେ ଭଲ ହୋଇଥାନ୍ତା ବୋଲି କହିଥିଲେ ।

Exit mobile version