ଦୁଲାଖାପାଟଣା ଷ୍ଟେସନରେ ଫାଷ୍ଟ ପାସେଞ୍ଜର୍ ରହିବାପାଇଁ ରେଳବାଇର ପ୍ରତିଶ୍ରୁତି ରେଳଯାତ୍ରୀ ସଂଘର ଗଣଧାରଣା ପ୍ରତ୍ୟାହୃତ


 କୋରାଇ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୂର୍ବତଟ ରେଳପଥ ଯାଜପୁର ଜିଲାର ସୀମାବର୍ତୀ ଦୁଲାଖାପାଟଣା ରେଳଷ୍ଟେସନରେ ଖୋର୍ଦ୍ଧାରୋଡ-ଖଡଗପୁର ଫାଷ୍ଟ ପାସେଞ୍ଜର ରହଣି ଉଚ୍ଛେଦ ପ୍ରତିବାଦରେ ନିୟମିତ ରେଳଯାତ୍ରୀ ସଂଘ ଦ୍ୱାରା ଡାକରା ଆଜି ଦିଆଯାଇଥିବା ଗଣଧାରଣା ପ୍ରତ୍ୟାହୃତ ହୋଇଛି । ନିୟମିତ ରେଳ ଯାତ୍ରୀ ସଂଘର ଆବାହକ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ନେତୃତ୍ୱରେ ଗୁରୁବାର ଅନୁଷ୍ଠିତ ଗଣଧାରଣା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଗତ ସୋମବାର ଦିନ ଶ୍ରୀ ଦାଶ ଭୁବନେଶ୍ୱର ପୂର୍ବତଟ ରେଳର ଜିଏମ ଓ ଖୋର୍ଦ୍ଧାର ଡିଆରଏମଙ୍କୁ ଦୁଲାଖାପାଟଣା ଷ୍ଟେସନରେ ଫାଷ୍ଟପାସେଞ୍ଜର ରହଣି ପାଇଁ ଲିଖିତ ଦାବି କରିଥିଲେ ।

ଗୁରୁବାର ପୂର୍ବାହ୍ଣରେ ଦୁଲାଖାପାଟଣା ରେଳଷ୍ଟେସନ ସମ୍ମୁଖରେ ଥିବା ଆଖଣ୍ଡଳମଣୀ ମନ୍ଦିର ପରିସରରେ ଅନୁଷ୍ଠିତ ଗଣଧାରଣାରେ ଶ୍ରୀ ଦାସଙ୍କ ନେତୃତ୍ୱରେ ସଂଘର ଦୁଲାଖାପାଟଣା ଶାଖା କାର୍ଯ୍ୟକର୍ତା ଜଗନ୍ନାଥ ନାଏକ, ରାଜକୁମାର ସାହୁ, ମନୋଜ କୁମାର ଦାସ, ପୂର୍ବତନ ସରପଂଚ ସୁରେଖା ସେଠୀ, ସମିତି ସଭ୍ୟ ଅଜୟ ମହାକୁଡ଼, ବିଦ୍ୟାଧର ଯେନା, ପ୍ରମୋଦ ସାହୁ, ସରୋଜ ଷଡ଼ଙ୍ଗୀ, ସୋନାଲି ସେନାପତି, ପୂଜାରାଣୀ ବେହେରା, ଶଶୀଭୂଷଣ ଦାଶ, ଯଜେ୍ଞଶ୍ୱର ଷଡ଼ଙ୍ଗୀ, ଦେବବ୍ରତ ସେଠୀ ଆଦି ବହୁମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ଦେଇଥିଲେ । ଭଦ୍ରକ ଆର୍‌ପିଏଫ୍ ଇନ୍ସପେକ୍ଟର ସୁନା ଯାଦବ, ଭଦ୍ରକ ଜିଆରପି ଇନ୍ସପେକ୍ଟର ଚିତରଞ୍ଜନ ଦାସ, କୋରାଇଥାନା ଅଧିକାରୀ ରାକେଶ ତ୍ରିପାଠୀ,

ସୁଦର୍ଶନ ସେଠୀ, ରେଳବାଇ ଗୁଇନ୍ଦା ବିଭାଗର ଅଧିକାରୀ ଅସିତ ନାୟକ, ଜ୍ୟୋତିପ୍ରକାଶ ନାୟକ, କେନ୍ଦ୍ର ଗୁଇନ୍ଦା ଅଧିକାରୀ ଅମ୍ରିତ୍ ସାହୁ ଏବଂ ପୁଲିସ କର୍ମଚାରୀ ପ୍ରମୁଖ ଧାରଣା ସ୍ଥଳେ ପହଂଚି ଆଲୋଚନା କରିଥିଲେ । ଦାବି ପୁରଣ ନହେବା ଯାଏ ଧାରଣାରୁ ହଟିନଥିଲେ । ପରେ ଖୋର୍ଦ୍ଧା ରୋଡ଼ ଡ଼ିଭିଜନର ବରିଷ୍ଠ ବାଣିଜ୍ୟ ପ୍ରବନ୍ଧକ ଗାରିମା ତିୱାରୀ ଓ ଡ଼ିଭିଜନର ସହକାରୀ ମହାପ୍ରବନ୍ଧକଙ୍କ ପହଂଚି ଖୋର୍ଦ୍ଧାରୋଡ-ଖଡଗପୁର ଫାଷ୍ଟ ପାସେଞ୍ଜର ଆସନ୍ତ ସପ୍ତାହ ମଧ୍ୟରେ ରହଣି ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଅନ୍ୟପକ୍ଷରେ ଅଧିକାରୀ କହିବାଅନୁଯାୟୀ ଉକ୍ତ ପାସେଞ୍ଜର୍ ଟ୍ରେନ ଯଦି ଆଗାମୀ ସପ୍ତାହ ମଧ୍ୟରେ ରହଣି ବ୍ୟବସ୍ଥା ନହୁଏ; ତେବେ ଆସନ୍ତା ୧୯ ତାରିଖ ଦୁଲାଖାପାଟଣା ଷ୍ଟେସନ ଠାରେ ରେଳରୋକ କରାଯିବ ବୋଲି ସଂଘର ନେତା ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି ।

Exit mobile version