ବନ୍ୟା ପ୍ରଭାବିତ ଅଞ୍ଚଳ ରୂପେ ଘୋଷଣା କରିବାକୁ କେନ୍ଦ୍ରୀୟ ଟିମଙ୍କୁ ବିଜେଡିର ଦାବିପତ୍ର

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପରିପ୍ରେକ୍ଷୀରେ ବୁଧବାର ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ସ୍ଥଳୀୟ ଆକଳନ ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ୮ ଜଣିଆ ଆନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ଟିମର ପ୍ରମୁଖ ସଦସ୍ୟ ହିଞ୍ଜିଳିକାଟୁରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ଟିମ ମୁଖ୍ୟଙ୍କ ସହିତ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ବିଜୟ ଅମୃତା କୁଲାଙ୍ଗେ,ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା ଓ ଅନ୍ୟାନ୍ୟ ପଦାଧିକାରୀଙ୍କୁ ବିରୋଧୀ ଦଳ ନେତାଙ୍କ ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।

ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ହିଞ୍ଜିଳି ନିର୍ଵାଚନ ମଣ୍ଡଳୀକୁ ବନ୍ୟା ପ୍ରଭାବିତ ଅଞ୍ଚଳ ରୂପେ ଘୋଷଣା କରିବାକୁ ଦାବି ଉପସ୍ଥାପନ କରିଥିଲେ । ବାତ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ହିଞ୍ଜିଳିକାଟୁ ପୌରାଞ୍ଚଳ, ହିଞ୍ଜିଳିକାଟୁ ବ୍ଳକର ୨୧ ଓ ଶେରଗଡ ବ୍ଲକର ୨୨ଟି ପଞ୍ଚାୟତର ପ୍ରଭାବିତ ପରିବାରଙ୍କୁ ସମୟୋଚିତ ସରକାରୀ ସହାୟତା, ସ୍ଥାନୀୟ ଲୋକଙ୍କ ସହ ଜନ ପ୍ରତିନିଧିଙ୍କୁ ନେଇ ଜୀବନ ଜୀବିକା ଉପରେ ନିର୍ଭରଶୀଳ କୃଷି ଉଦ୍ୟୋଗ, ଆବାସ, ଉଦ୍ୟାନ କୃଷି, କ୍ଷୁଦ୍ର ବ୍ୟବସାୟୀଙ୍କ କ୍ଷୟକ୍ଷତିର ନିରପେକ୍ଷ ଆକଳନ ଓ ମୂଲ୍ୟାୟନ କରି କେନ୍ଦ୍ରୀୟ ଓ ରାଜ୍ୟ ସହାୟତା ପ୍ରଦାନ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ ।

ଏହା ବ୍ୟତୀତ ରାସ୍ତା,ପାନୀୟ ଜଳଯୋଗାଣ ବ୍ୟବସ୍ଥା, ନିରବିଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଆଦି ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ଟିମଙ୍କୁ ଅନୁରୋଧ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲପାଳ ଡଃ ଶିବାଶିଷ ବରାଳ, ଡେପୁଟି କମିଶନର ଜୁବୁଲି ଚରଣ ବେହେରା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା,ପୌର ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ,ରୋଗୀ କଲ୍ୟାଣ ସମିତି ପ୍ରତିନିଧୀ ନୀଳମଣି ପଟ୍ଟନାୟକ, ଅଧ୍ଯକ୍ଷା ସରସ୍ୱତୀ ସେଠୀ,ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ,ବିଧାୟକ ପ୍ରତିନିଧି ଦିଗାମ୍ବର ନାହାକ, ମନୋଜ କୁମାର ସାବତ,ବସନ୍ତ କୁମାର ସେଠୀ,ଅନୀଲ ସ୍ଵାଇଁଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Exit mobile version