ବ୍ରାଉନ୍ ସୁଗାର ରାକେଟ୍‌ର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ

ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଡେଲାଙ୍ଗ ଥାନା ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ ପୁରୀ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଚଢ଼ାଉ କରାଯାଇ ୪ ଜଣ ଅଭିଯୁକ୍ତଙ୍କୁ ଧରାଯାଇଛି। ଗତ କାଲି ବିଳମ୍ବିତ ରାତିରେ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦାସ୍ଥିତ ବାଣୀ ବକ୍ରେଶ୍ଵର ମନ୍ଦିରର ପଛପାର୍ଶ୍ଵରେ ବ୍ରାଉନ୍ ସୁଗାର କାରବାର ସମ୍ପର୍କରେ ପୋଲିସକୁ ବିଶେଷ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଡେଲାଙ୍ଗ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଘେରାଉକରି ଯାଞ୍ଚ କରିଥିଲା ।

ଯାଞ୍ଚ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନ୍ ସୁଗାର ସହ ଗୋଟିଏ ପିସ୍ତଲ ଜବତ କରାଯାଇଥିଲା । ଏହା ସହିତ ନିଶାଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହୃତ ହେଉଥ‌ିବା ଗୋଟିଏ କାର୍ ଏବଂ ଦୁଇଟି ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି । ଘଟଣାସ୍ଥଳରେ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଆଇନାନୁଯାୟୀ ତଲାସି ଓ ଜବତ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା । ଅଧୂକ ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଗିରଫ ହୋଇଥିବା ଅଭିଯୁକ୍ତମାନେ ପୁରୀ ସମେତ ବିଭିନ୍ନ ଜିଲ୍ଲାର ଅନ୍ୟାନ୍ୟ ଥାନା ଅଞ୍ଚଳରେ ଘଟିଥିବା ଏକାଧୁକ ଛିନତାଇ ଓ ଏନ୍‌ଡିପିଏସ୍ ସମ୍ବନ୍ଧୀୟ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧିକ ରେକର୍ଡ ବିଭିନ୍ନ ଥାନାରେ ଯାଞ୍ଚ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ଚନ୍ଦନ ଓରଫ ଚନ୍ଦ୍ରଶେଖର ବିଶ୍ବାଳ (୨୬), ଗ୍ରାମ- ତରତୁଆ, ଥାନା- ଗଡ଼ିଶାଗୋଦା, ଜିଲ୍ଲା- ପୁରୀ, ସାଗର ଓରଫ ଆଲୋକ ନାୟକ (୨୫), ଗ୍ରାମ- ଘୋରଡ଼ିଆ, ଥାନା- ଡେଲାଙ୍ଗ, ଜିଲ୍ଲା- ପୁରୀ.,ରଶ୍ମି ରଞ୍ଜନ ହରିଚନ୍ଦନ ଓରଫ ପିଙ୍କୁ (୨୩), ଗ୍ରାମ- କୁଆପଦା, ଥାନା- ଡେଲାଙ୍ଗ, ଜିଲ୍ଲା- ପୁରୀ.,ବେଙ୍ଗ ଓରଫ ସୋନୁ ଓରଫ ସୋମନାଥ ପ୍ରଧାନ (୨୩), ଗ୍ରାମ- ସାତଶଙ୍ଖ, ଥାନା- ପିପିଲି, ଜିଲ୍ଲା- ପୁରୀ l ସେମାନଙ୍କ ଠାରୁ ୧. ୨୬୧ ଗ୍ରାମ ବ୍ରାଉନ୍ ସୁଗାର ପୋଲିସ ଜବତ କରିଛି l

ଗୋଟିଏ କଳା ରଙ୍ଗର ୧.୭୭ କ୍ୟାଲିବର ପିସ୍ତଲ (ଗୁଳି ବିନା),ଗୋଟିଏ ରୂପେଲି ରଙ୍ଗର ମାରୁତି ସୁଜୁକି ଏର୍ଟିଗା କାର (OD02U7200), ଗୋଟିଏ କଳା-ନୀଳ ରଙ୍ଗର ୟାମାହା FZ ମୋଟରସାଇକେଲ (OD02R5921), ଗୋଟିଏ ଧଳା-ଲାଲ ରଙ୍ଗର ବଜାଜ ପଲସର ମୋଟରସାଇକେଲ (OD13AB4904), ୬ଟି ମୋବାଇଲ୍ ଫୋନ୍,ନଗଦ ୬,୦୦୦ ଟଙ୍କା।ପୁରୀ ପୋଲିସ ପକ୍ଷରୁ ନିଶାଦ୍ରବ୍ୟ କାରବାର, ଚୋରା ଚାଲାଣ ଓ ଏହା ସହ ଜଡ଼ିତ ଅପରାଧ୍ଵକ କାର୍ଯ୍ୟକଳାପ ବିରୋଧରେ ଏଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ । ଏ ସମ୍ପର୍କରେ ପୁରୀ ଏସ. ପି. ପ୍ରତୀକ ସିଂ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

Exit mobile version