ବେଆଇନ ଶାଳ କାଠ ଚାଲାଣ ଉପରେ ବନ ବିଭାଗର ଚଢ଼ାଉ : ଶାଳ ପଟା ସହ ଅଟୋ ଜବତ, ଜଣେ ଗିରଫ

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲାରେ ବେଆଇନ କାଠ ଚାଲାଣ ଓ ଜଙ୍ଗଲ ସମ୍ପଦ ଲୁଟ୍‌କୁ ରୋକିବା ପାଇଁ ବନ ବିଭାଗର ତୀକ୍ଷ୍ଣ ନଜରଦାରୀ ଜାରି ରହିଛି। ଏହି କ୍ରମରେ ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ବନାଞ୍ଚଳରେ ପେଟ୍ରୋଲିଂ ସମୟରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବେଆଇନ ଭାବେ ଶାଳ କାଠ ଚାଲାଣ ହେଉଥିବା ବେଳେ ଚଢ଼ାଉ କରି ୧୨ ଖଣ୍ଡ ଶାଳ ପଟା ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ କାବୁ କରିଛି ବନ ବିଭାଗ।

ସୂଚନା ଅନୁଯାୟୀ, ବେଲଘର ବନାଞ୍ଚଳର ବନ କର୍ମଚାରୀମାନେ ନିୟମିତ ପେଟ୍ରୋଲିଂ କରୁଥିବା ସମୟରେ ଧୂମାମାସ୍କା ଗ୍ରାମ ନିକଟରେ ସନ୍ଦେହଜନକ ଭାବେ ଶାଳ କାଠ ପରିବହନ ହେଉଥିବା ଦେଖି ଚଢ଼ାଉ କରିଥିଲେ। ଏହି ସମୟରେ ୧୨ ଖଣ୍ଡ ସାଇଜ୍ ଶାଳ ପଟା ଜବତ କରାଯାଇଥିଲା। ଜବତ କାଠର ଆନୁମାନିକ ବଜାର ମୂଲ୍ୟ ୩୨ ହଜାର ୪୫୨ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏହି ଘଟଣାରେ କାଠ ପରିବହନରେ ବ୍ୟବହୃତ ବଜାଜ୍ ଅଟୋ ରିକ୍ସା ନଂ. ଓଡି-୦୮- କ୍ୟୁ-୯୦୩୩ କୁ ମଧ୍ୟ ଜବତ କରାଯାଇଛି।

ଗିରଫ ଅଭିଯୁକ୍ତ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ଅନ୍ତର୍ଗତ ଶରଧାପୁର ଗ୍ରାମର ବାବୁଲାଲ ବାଗ (୪୩)। ଏନେଇ ବେଲଘର ରେଞ୍ଜ ପକ୍ଷରୁ କେସ୍ ନଂ ୩୩/୨୦୨୬- ୨୭ ରେ ମାମଲା ରୁଜୁ ହୋଇଛି। ଜବତ କାଠ କେଉଁଠାରୁ ଆସିଥିଲା ଏବଂ ଏହାର ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ଚଢ଼ାଉରେ ବେଲଘର ଫରେଷ୍ଟର ରାଜେଶ୍ୱର ବଡ଼ମାଝି, ଗୁମ୍ମା ଫରେଷ୍ଟର ଦୀପକ ପ୍ରଧାନ, ଧରାଣୀମାସ୍କା ଫରେଷ୍ଟ ଗାର୍ଡ ସନ୍ଦୀପ ଦାସଙ୍କ ସମେତ ବନ ବିଭାଗ ସୁରକ୍ଷା ଦଳର ବୁଲୁ ବିଜୁଳି ସେଠ୍‌ ପ୍ରମୁଖ ସାମିଲ ଥିଲେ। ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗର ଏଭଳି ନିୟମିତ ଚଢ଼ାଉ ଜାରି ରହିଲେ ବେଆଇନ କାଠ ଚାଲାଣ ଉପରେ ଅଙ୍କୁଶ ଲାଗିପାରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି ।

Exit mobile version